ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଅଦଳବଦଳ ପ୍ରକ୍ରିୟାରେ କିଏ ବାଦ୍ ପଡିବେ ଏଭଂ କିଏ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୋସିଆଲ ମିଡିଆରେ ସମ୍ଭାବ୍ୟ ତାଲିକା ଘୁରି ବୁଲୁଛି । ତେବେ ସବୁଠୁ ବଡକଥା ହେଉଛି, ମନ୍ତ୍ରୀ ପଦଠାରୁ ଦୂରରେ ରହି ଦଳର ସାଙ୍ଗଠନିକ ଦାୟିତ୍ବ ସମ୍ଭାଳିଥିବା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମୁଖ୍ୟମନ୍ତ୍ରୀ ସବୁଠୁ ବଡ ପୁରସ୍କାର ଦେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରିବାକୁ ଯାଉଛନ୍ତି । ଏବଂ ଏହି ପଦରେ ସବୁଠାରୁ ବିଶ୍ବସନୀୟ ନେତା ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ ଦାୟିତ୍ବ ନେବେ ।

2019 ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତିମନ୍ତ୍ରୀ ଥିବା ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦ ଛାଡି ଦଳ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରଠାରୁ ଦଳ 2019 ସାଧାରଣ ନିର୍ବାଚନ, ଏବଂ ଗୋଟିକ ପରେ ଗୋଟିଏ ଉପନିର୍ବାଚନରେ ବିଜୟ ଦାସଲ କରିବା ସହ ସଙ୍ଗଠନକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ବିଶ୍ବସନୀୟତା ପାଇଁ ନବୀନ ତାଙ୍କୁ ମନ୍ତ୍ରୀମଣ୍ଡଳରେ ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ପଦବୀରେ ବସାଇବା ପ୍ରାୟତଃ ନିଶ୍ଚିତ ହୋଇସାରିଛି ।

2009 ରେ ବିଜେଡିରେ ଯୋଗ ଦେଇଥିବା ପ୍ରଣବ ପ୍ରକାଶ ଦାସ ନିଜର ଦକ୍ଷତା ବଳରେ ଏବେ ବିଜେଡିର ସବୁଠୁ ପ୍ରଭାବଶାଳୀ ନେତା ଭାବେ ସାବ୍ୟସ୍ତ କରିସାରିଛନ୍ତି । ଦଳ ଓ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ତଥା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବବି ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଏବେ ନବୀନ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବା ଅର୍ଥ ଦଳ ଭିତରେ ନବୀନ ତାଙ୍କ ଉତ୍ତରାଧିକାରୀ ନେତୃତ୍ବ ଘୋଷଣା କରିବା ।

LEAVE A REPLY

Please enter your comment!
Please enter your name here