ସତରେ ଦୁଃଖ କେତେବେଳେ କେଉଁ ରୂପରେ ଆସିବ ତାହା କେହି ବି ଜାଣି ପାରନ୍ତି ନାହିଁ । ଏଇ ଯେମିତି କୋମଳମତି ଦୁଇ ଶିଶୁଙ୍କ ଭାଗ୍ୟରେ ଘଟିଛି । ଦୁନିଆକୁ ଭଲ କରି ଜାଣିବା ଆଗରୁ ଆଖି ବୁଜିଦେଇଥିଲେ ବାପା । ଆଉ ଆଜି ମା’ ବି ଛାଡି ଚାଲିଗଲେ । ଦୁଇ କୁନି କୁନି ପିଲାଙ୍କ କଥା ଏବେ ବୁଝିବ କିଏ । ଆଜି ସାପ କାମୁଡାରେ ମା ଆଖି ବୁଜିଛନ୍ତି । ବେସାହାରା ହୋଇଛନ୍ତି ଦୁଇ କୁନି କୁନି ଭାଇ। ୪ ବର୍ଷ ତଳେ ବାପା ଛେଉଣ୍ଡ ହୋଇଥିଲେ ଆଉ ଏବେ ମାଆ ଛେଉଣ୍ଡ ହୋଇଗଲେ । ନିଷ୍ଠୁର ବିଧାତା ବାପାମାଆଙ୍କୁ ନେଇଯିବା ପରେ ଭବିଷ୍ୟତ ନେଇ ଭୟଭୀତ ହୋଇପଡିଛନ୍ତି ଦୁଇ କଅଁଳ କଢି । ଯାହା ତାଙ୍କ ଏ ନୀରିହ ଆଖି ହିଁ କହୁଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବଡପୋଖରୀ ପଞ୍ଚାୟତ ଦୁର୍ଗାପୁର ଗାଁରେ । ବାତ୍ୟା ପରେ ଗାଁ ଚାରିପାଖେ ବନ୍ୟାପାଣି ଘେରି ରହିଥିବାରୁ ଏକ ବିଷଧର ସାପ ଗାଁର ରାଧା ସିଂଙ୍କ ଘରେ ପଶିଯାଇଥିଲା । ସୋମବାର ସକାଳେ ମହିଳା ଜଣଙ୍କ ନିଜ ଘରେ କୁକୁଡା ମରି ପଡିବା ସହ ଅଣ୍ଡାଗୁଡିକ ଏଣେତେଣେ ପଡିଥିବା ଦେଖିଥିଲେ । ଆଉ ଅଣ୍ଡାଗୁଡିକୁ ଗୋଟାଇ କୁକୁଡା ପାଖରେ ରଖିବାକୁ ଗଲାବେଳେ ହଠାତ୍ ସେହି ବିଷଧର ସାପ ତାଙ୍କୁ ଚୋଟ ମାରିଥିଲା । ସର୍ପାଘାତ ପରେ ମହିଳାଙ୍କୁ ସୋର ଡାକ୍ତରଖାନା ନେଉଥିଲେ ହେଁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ସେପଟେ ମାଆ ଗଲା ପରେ ଅବାକ ହୋଇଛନ୍ତି ଏ କୁନି କୁନି ପିଲା । ୪ ବର୍ଷ ତଳେ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପା ଚାଲିଗଲା ପରେ ମାଆ ହିଁ ଥିଲା ଦୁଇଭାଇଙ୍କ ଶକ୍ତି, ସାହସ ଓ ବଳ । ମାଆ ସ୍ନେହ ଦେଉଥିଲା, ମମତା ଦେଉଥିଲା, ଅଝଟ ବୁଝୁଥିଲା, ଆକଟ ବି କରୁଥିଲା । ମାଆ ମୁହଁ ଚାହିଁ ବଡ ହେବାର ବଳ ଗୋଟାଉଥିଲେ ଦୁଇ ଜଣ । ହେଲେ ସମୟ ସବୁ ସାରିଦେଲ।

LEAVE A REPLY

Please enter your comment!
Please enter your name here