ଟୋକିଓ ଅଲିମ୍ପିକ ଫେରନ୍ତା ଚାରିଜଣ ଓଡିଆ ହକି ଖେଳାଳିଙ୍କୁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକରେ ବ୍ରୋଞ୍ଚ ପଦକ ପାଇଥିବା ଭାରତୀୟ ହକିଟିମର ଦୁଇ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ, ପ୍ରତ୍ୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଢେଇ କୋଟି ଟଙ୍କା ଲେଖାଁଏ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିସହିତ ଏହି ଦୁଇ ଖେଳାଳିଙ୍କୁ ଓଡିଶା ପୋଲିସରେ ଡିଏସପି ପଦବୀରେ ନିଯୁକ୍ତି ପାଇଁ ଅଫର ଲେଟର ଦେଇଛନ୍ତି । ସେହିପରି ସେମିଫାଇନାଲରେ ପହଞ୍ଚିଥିବା ମହିଳା ହକିଟିମର ଦୁଇ ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ପଚାଶ ଲକ୍ଷ ଲେଖାଁଏ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଟୋକିଓ ଅଲିମ୍ପିକରେ ଉଭୟ ପୁରୁଷ ଓ ମହିଳା ହକି ଟିମର କୃତିତ୍ବକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କଠିନ ପରିଶ୍ରମ ସହ ଦେଶ ପାଇଁ ଗୌରବ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି । କଳିଙ୍ଗ ଷ୍ଟଡିଅମ ବିଶ୍ବସ୍ତରରେ ହକି ହବ୍ ରେ ପରିଣତ ହୋଇସାରିଛି ଏବଂ ପୁରୁଷ ହକି ବିଶ୍ବକପ୍ ଆଗାମୀ ଦିନରେ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଘରୋଇ ମାଟିରେ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ସୁଯୋଗ ପାଇପାରିବେ ବୋଲି ନବୀନ କହିଛନ୍ତି ।

ସମ୍ବର୍ଦ୍ଧନା ଉତ୍ସବ ଅବସରରେ ପୁରୁଷ ହକି ଟିମ ଭାଇସ କ୍ୟାପଟେନ ବିରୋନ୍ଦ୍ର ଲାକ୍ରା ମୁଖ୍ୟମନ୍ତ୍ରୀଙ୍କୁ ହକିଟିମର ସବୁ ସଦସ୍ୟଙ୍କ ଦସ୍ତଖତ ଥିବା ଟିମ ଜର୍ସି ପ୍ରଦାନ କରିଥିଲେ । ସେହିପରି ମହିଳା ହକିଟିମ୍ ଭାଇସ କ୍ୟାପଟେନ ଦୀପଗ୍ରେସ ଏକ୍କା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟିମ୍ ଜର୍ସି ପ୍ରଦାନ କରିଥିଲେ ।

ଏହି ସମାରୋହରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡିଶା ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ ଦିଲିପ ତୀର୍କି, 5-ଟି ସେକ୍ରେଟାରୀ ଭି.କେ. ପାଣ୍ଡିୟାନ ଏବଂ କ୍ରୀଡା ବିଭାଗ ସଚିବ ଆର. ଭିନିଲକ୍ରୀଷ୍ଣା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here