ବିଜେଡିରେ ମିଶିବେ ଜଗନ୍ନାଥ । ଭୁବନେଶ୍ବରରେ ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ । ଦୀର୍ଘବର୍ଷ ଧରି ଦଳରେ ରହି ସଂଗଠନକୁ ସୁଦୃଢ କରିଥିବା ଜଗନ୍ନାଥ ଦୁଇ ଦୁଇଥର ମଧ୍ୟ ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢି ବିଜେଡିକୁ ଟକ୍କର ଦେଇ ଆସୁଛନ୍ତି । ମାତ୍ର ଏସବୁ ସତ୍ତ୍ବେ ଦଳର ଆଭ୍ୟନ୍ତରୀଣ ରାଜନୀତି ଭିତରେ କୋଣଠେସା ହୋଇଯାଇଛନ୍ତି ଜଗନ୍ନାଥ । ତେଣୁ ପଦ୍ମ ଛାଡି ଶଙ୍ଖ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜେଡିର ଉତ୍ତର ଭୁବନେଶ୍ବର ବିଧାୟକଙ୍କ ସହ ମିଶି ସେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିବା ପରେ ବିଜେଡିରେ ମିଶିବା ଚର୍ଚ୍ଚା ଜୋର୍ ଧରିଛି । ଜଗନ୍ନାଥ ମଧ୍ୟ ଖୁଲମଖୁଲା ବିଜେପିର କାର୍ଯ୍ୟଧାରା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ଗତ 15 ଦିନ ହେଲାଣି ଦଳର ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ଜଣାଇ ସାରିଛନ୍ତି । ଆଜି ସଭାପତି ସମିର ମହାନ୍ତି ଦୁଇଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଥା ଜଗନ୍ନାଥ କହିଛନ୍ତି । ମାତ୍ର ମିଳିଥିବା ସୂଚନା ଅନୁଯାୟୀ ଏସବୁ ଦଳୀୟ ଔପଚାରିକତା କଥା ଜଗନ୍ନାଥ କହୁଥିଲେ ସେ ବିଜେଡିରେ ମିଶିବା ସ୍ପଷ୍ଟ ହୋଇସାରିଛି ।
ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥ ମଧ୍ୟ ଭୁବନେଶ୍ବର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ ଏବଂ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟକ୍କର ଦେଇଥିଲେ । ଏବେ ଜଗନ୍ନାଥ ବିଜେଡିକୁ ଆସିଲେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଅଡୁଆ ବଢିଯିବ । ଜଗନ୍ନାଥ ଆସିଲେ ସଙ୍ଗଠନରେ ବୁନୁଙ୍କ ପତିଆରା ହ୍ରାସ ପାଇବ । ତେବେ ଜଗନ୍ନାଥଙ୍କୁ ଦଳକୁ ଆଣି ଥଇଥାନ କରିବା ଚକ୍କରରେ ଅଛନ୍ତି ବିଜେଡିର ଷ୍ଟ୍ରାଟେଜୀ ମେକର ବବି ଦାସ ।
ଗତ ସାଧାରଣ ନିର୍ବାଚନ ବେଳେ ବିଜେଡିର ବାବୁ ସିଂଙ୍କୁ ବିଜେପିରେ ମିଶାଇବା ଏବଂ ଦଳ ଭିତରେ ବାବୁଙ୍କୁ ଗୁରୁତ୍ବ ଦେବା ପରେ ଜଗନ୍ନାଥ ସ୍ଥିତି ଦୁର୍ବଳ ହୋଇପଡିଥିଲା । ଏହାପରେ ବି ଦଳର ଭୁବନେଶ୍ବର ସଙ୍ଗଠନରେ ଜଗନ୍ନାଥଙ୍କ ପ୍ରଭାବ ହ୍ରାସ କରିବା ପାଇଁ ଦଳର ନିଷ୍ପତ୍ତି ନେଇ ସେ କ୍ଷୁବ୍ଧ ଥିଲେ ।

LEAVE A REPLY

Please enter your comment!
Please enter your name here