ମାଷ୍ଟରକାଣ୍ଟିନ ଘୋଡା । ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରତୀକ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଚିହ୍ନ । 1988 ମସିହାରେ ଭୁବନେଶ୍ବରର ମାଷ୍ଟରକାଣ୍ଟିନ ଛକରେ ପଥରରେ ନିର୍ମିତ ଏହି ବିଶାଳକାୟ ଘୋଡା ଏବଂ ଖଣ୍ଡା ଓ ଢାଲ ଧରିଥିବା ଓଡିଆ ବୀର, ଓଡିଆ ଶୌର୍ଯ୍ୟର ପ୍ରତୀକ, ଏହି ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ମାତ୍ର ଏହି ପ୍ରସ୍ତର ମୂର୍ତ୍ତିକୁ ମାଷ୍ଟରକାଣ୍ଟିନ ଛକରୁ ରାଜଭବନ ଛକକୁ ସ୍ଥାନାନ୍ତରଣ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଆରମ୍ଭ ହୋଇଛି ବିରୋଧ । ଆଜି କଂଗ୍ରେସ ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ପ୍ରସ୍ତର ମୂର୍ତ୍ତି ନିକଟରେ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ଜଣାଇଥିଲେ ।

ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ମାର୍ଟସିଟି ପକ୍ଷରୁ ସଂସ୍କୃତି ବିଭାଗକୁ ଗତ ଛ ମାସ ତଳେ ଚିଠି ଲେଖାଯାଇଥିଲା । ସଂସ୍କୃତି ବିଭାଗର ଅନୁମୋଦନ ପରେ ଏହି ବିଶାଳକାୟ ପ୍ରସ୍ତରମୂର୍ତ୍ତିକୁ ରାଜଭବନ ଛକ ଗୋଲେଇ ମଧ୍ୟରେ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସକ ମଧ୍ୟରେ ଏହା ସ୍ଥାନାନ୍ତରଣ କରାଯିବ । ତେବେ ବିଧାନସଭା ସାମନା ରାସ୍ତା ଏବଂ ରେଳଷ୍ଟେସନ ସମ୍ମୁଖରେ ଶୋଭା ପାଉଥିବା ଓଡିଶା କଳା ଓ ଭାସ୍କର୍ଯ୍ୟର ପ୍ରତୀକକୁ ସ୍ଥାନାନ୍ତରଣ ନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବରିଂ ରାସ୍ତା ପ୍ରଶସ୍ତିକରଣ ସହ ଏହି ମୂର୍ତ୍ତି ରଖାଯାଇପାରିଲେ ଏହା ଅଧିକ ଶୋଭାବର୍ଦ୍ଧନ କରିବ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

LEAVE A REPLY

Please enter your comment!
Please enter your name here