ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ସରକାରୀ ହିସାବରେ କୋଭିଡରେ 3302 ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜୁନ ମାସ ଆରମ୍ଭରୁ ଦୈନିକ ମୃତ୍ୟୁସଂଖ୍ୟା 40 ଉପରେ ରହିଛି । ଗତକାଲି ସର୍ବାଧିକ 47 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି 45 ଜଣଙ୍କର ମୃତ୍ୟୁ ହୋଇଛି । ଯଦିଓ ସରକାରୀ ହିସାବରେ ଦର୍ଶାଯାଉଥିବା ମୃତ୍ୟୁସଂଖ୍ୟାର ବାସ୍ତବତା ନେଇ ସନ୍ଦେହ ପ୍ରକାଶ ପାଇଛି । ଆରଟିଆଇ ତଥ୍ୟ ଆଧାରରେ କଂଗ୍ରେସ ମୃତ୍ୟୁସଂଖ୍ୟାର ବାସ୍ତବତା ସରକାରୀ ତଥ୍ୟ ଠାରୁ ବହୁତ ଅଧିକ ବୋଲି କହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ସରକାର କୋଭିଡ ମୁକାବିଲା ପାଇଁ ଆବଶ୍ୟକ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ବୋଲି କହୁଥିବା ବେଳେ ହଠାତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଲା କାହିଁକି ? ସରକାରୀ ହିସାବରେ 30ଟି ଜିଲ୍ଲାରେ 83ଟି କୋଭିଡ, 120 କୋଭିଡ କେୟାର ସେଣ୍ଟର ହସପିଟାଲ ଖୋଲାଯାଇଛି, ଯେଉଁଥିରେ 10746 ବେଡ୍ ଏବଂ 3352 ଆଇସିୟୁ ବେଡ୍ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ଭଲ ଭିତ୍ତିଭୂମି ପ୍ରସ୍ତୁତ କରିପାରିବାରେ ସଫଳ ହୋଇଛନ୍ତି ବୋଲି କହୁଛନ୍ତି । ମାତ୍ର ବିଭିନ୍ନ ସ୍ଥାନରୁ କୋଭିଡ ହସପିଟାଲର ଦୂରବସ୍ଥା ତଥା ମୃତଦେହ ନ ମିଳିବା ଭଳି ଅତି କରୁଣ ରିପୋର୍ଟ ପ୍ରକାଶ ପାଉଛି । ପାରଳାଖେମୁଣ୍ଡିରେ ରୋଗୀ ଭଲ ଅଛନ୍ତି ବୋଲି ହସପିଟାଲ କତ୍ତୃପକ୍ଷ ପରିବାର ଲୋକଙ୍କୁ ସୂଚନା ଦେବାର ଚାରି ପାଂଚଘଣ୍ଟା ଭିତରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ସେହିପରି ଭୁବନେଶ୍ବର ଭରତପୁରରୁ ରୋଗୀଙ୍କ ସଂପର୍କୀୟ ସେମାନଙ୍କ ରୋଗୀଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ବି ମୃତଦେହ ପାଉ ନଥିବା ଭଳି ଖବର ଆସୁଛି । ବାରିପଦାଠୁ ଦଶକିଲୋମିଟର ଦୂର କୋଭିଡ ହସପିଟାଲରେ ରୋଗୀଙ୍କ ଦୟନୀୟ ଅବସ୍ଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଉ କିଛି କହିବାର ନାହିଁ । ଏସବୁ କଥା କହିବାର ଅର୍ଥ, ଆମ ପାଖରେ କୋଭିଡ ମୁକାବିଲା କଲାଭଳି ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପର୍ଯ୍ୟାପ୍ତ ଭାବେ ନାହିଁ । ଯେଉଁଥିପାଇଁ ଜଣଙ୍କ ପରେ ଜଣେ ରୋଗୀ ଇକମୋ ଟ୍ରିଟମେଣ୍ଟ ପାଇଁ ବାହାର ରାଜ୍ୟ ହସପିଟାଲକୁ ଏୟାର ଆମ୍ବୁଲାନ୍ସରେ ଯିବାକୁ ବାଧ୍ୟ ହୋଇଛନ୍ତି । ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ସରକାର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକତା ପଠାଇଦେଲେ, ମାତ୍ର ସାଧାରଣ ପରିବାରର ଆକ୍ରାନ୍ତ ରୋଗୀଙ୍କ ଅବସ୍ଥା କଣ ହୋଇଥିବ, ତାହା ଅନୁମାନ କରିବା କଥା । ଏସବୁ କଥା କହିବାର ଅର୍ଥ, ଗତ କିଛିଦିନ ଧରି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ବଢିବା ପଛରେ ଏକ ପ୍ରମୁଖ କାରଣ ହେଉଛି, ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ । ଇକମୋ ସିଷ୍ଟମ ଆମ ରାଜ୍ୟରେ ନାହିଁ, କିନ୍ତୁ ପଡୋଶୀ ସହର କୋଲକତା ଓ ହାଇଦ୍ରାବାଦରେ ଉପଲବ୍ଧ ଅଛି । ଅର୍ଥାତ କୋଲକତା ଏବଂ ହାଇଦ୍ରାବାଦ ଭଳି ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟି କରିବାରେ ଆମେ ଅସମର୍ଥ ହୋଇଛୁ । କଣ ପାଇଁ ? ଇକମୋ କାହିଁକି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଡିଏମଇଟି କହିଲେ, ଇକମୋ ଅପରେଟ ପାଇଁ ମାନବ ସମ୍ବଳର ଆବଶ୍ୟକ ରହିଛି । ଅସୁବିଧା କେଉଁଠି ? ଆମ ପାଖରେ କଣ ଦକ୍ଷ ମାନବସମ୍ବଳର ଅଭାବ ରହିଛି କି ? ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୂରଦୃଷ୍ଟିର ଅଭାବ । କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଥିବା ସ୍ବାସ୍ଥ୍ୟ ବିଶାରଦମାନେ ବୋଧେ ଭାବିଥିଲେ, କେତେଟା ବିଲ୍ଡିଂରେ ପଙ୍ଖା ଝୁଲେଇ ବେଡ୍ ପକାଇ ଦି ଜଣ ନର୍ସ ରଖିଦେଲେ କୋଭିଡ ହସପିଟାଲ ହୋଇଯିବ । ଅକ୍ସିଜେନ ସୁବିଧା ଥିଲେ ଆଇସିୟୁ ହୋଇଯିବ । ଅଧିକ ଫୁସଫୁସ ସଂକ୍ରମଣ ହେଲେ ମୃତ୍ୟୁ ନିଶ୍ଚିତ । ଏଥିରୁ ନିସ୍ତାର ନାହିଁ । ଭଗବାନ ଭରଷା । ଇକମୋ କଥା ଏମାନେ ଚିନ୍ତା ହିଁ କରି ନଥିଲେ । ଯାହାର ପରିଣାମ ଏବେ କୋଭିଡ ଆକ୍ରାନ୍ତଙ୍କୁ ଭୋଗ କରିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here