ରାଣୀ ହେମ୍ବ୍ରମ । ବୟସ ୧୬ । ଚଳିତବର୍ଷ ମାଟ୍ରିକରେ ରଖିଛନ୍ତି ୫୧୧ ନମ୍ବର । ଅଧିକ ପାଠ ପଢି ଡାକ୍ତର ହେବାକୁ ତାଙ୍କର ସ୍ବପ୍ନ । କିନ୍ତୁ ରାଣୀଙ୍କ ଏ ସ୍ବପ୍ନ ପୁରା ହେବ କେମିତି ?କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଙ୍ଗମ ଗାଁରେ ତାଙ୍କ ଘର । ବହୁ ସଂଘର୍ଷ ଭିତରେ ସେ ଗଡଚଣ୍ଡୀ ସ୍କୁଲରେ ପାଠ ପଢି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୮୫ ପ୍ରତିଶତ ନମ୍ବର ରଖିଛନ୍ତି । ପାଠ ପଢୁଥିବା ବେଳେ ଅନେକ ବୃତ୍ତି ବି ପାଇଛନ୍ତି । ମାତ୍ର ଏବେ ରାତି ପାହିଲେ ବହି ଖାତା ବଦଳରେ ତାଙ୍କୁ ମୁଣ୍ଡରେ ବାଲି, ସିମେଣ୍ଟ, ଇଟା ବୋହିବାକୁ ପଡୁଛି । ଘରେ ବିଧବା ମା, ସାନଭାଇ ଓ ଭଉଣୀ । ସମସ୍ତଙ୍କ ମୁହଁରେ ଦାନା ଗଣ୍ଡେ ଦେବାକୁ ରାଣୀ ଏବେ ସାଜିଛନ୍ତି ମୂଲିଆ । ସେଇଥିପାଇଁ ସକାଳ ହେଲେ ସେ ରାଜମିସ୍ତ୍ରୀ ସହ କାମରେ ବାହାରି ପଡୁଛନ୍ତି । ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ମେଧାବୀ ଛାତ୍ରୀ ରାଣୀ ସୋସୋ ଗାଁକୁ କାମ କରିବାକୁ ଯାଇଥିବା ବେଳେ ହାଟଡିହି ବ୍ଲକ ଅଙ୍ଗନବାଡି ସୁପରଭାଇଜର ନିରୁପମା ରାଉତ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ରାଣୀ ନିକଟରୁ ଅଭାବ ଅନଟନର କାହାଣୀ ଶୁଣିବାପରେ ସେ ରାଣୀ କିପରି ଉଚ୍ଚଶିକ୍ଷା ପାଇପାରିବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବଣମଲ୍ଲୀ ବଣରେ ଫୁଟି ଝଡି ପଡିବା ପୂର୍ବରୁ ଆଦିବାସୀ ଛାତ୍ରୀ ରାଣୀଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ସହାୟତାର ହାତ ବଢାଇବା ଦରକାର ।
ସଂଘର୍ଷ ଭିତରେ ବି ରାଣୀ ତାଙ୍କ ସ୍ବପ୍ନକୁ ବଞ୍ଚେଇ ରଖିଛନ୍ତି । ମୂଲ ଲାଗି କିଛି ଟଙ୍କା ସଞ୍ଚୟ କଲେ ସେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here