ମାଟ୍ରିକ ଫଳକୁ ନେଇ ପ୍ରଚଣ୍ଡ ଅସନ୍ତୋଷ । କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର ସବୁଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କଟକ ବୋର୍ଡ ଅଫିସ ଆଗରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମୂଲ୍ୟାୟନକୁ ନେଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକ୍ ଭାବରେ ମୂଲ୍ୟାୟନ ହୋଇନଥିବା ନେଇ ଅଭିଯୋଗ କରିବା ସହ ପୁଣି ଥରେ ମାର୍କ ବଢାଇବାକୁ ଦାବି କରିଛନ୍ତି । ମୂଲ୍ୟାୟନ ପାଇଁ ଯେଉଁ ଆଧାରକୁ ବୋର୍ଡ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି, ତାହା ତ୍ରୁଟିପୂର୍ଣ୍ଣ ଥିଲା ବୋଲି ଏବେ ସ୍ପଷ୍ଟ ହେଉଛି । କାରଣ ହଜାର ହଜାର ଛାତ୍ରଛାତ୍ରୀ ସେମାନଙ୍କ ଅସନ୍ତୋଷ ଜାହିର କରିବା ସହ ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁ ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିୟର ଅନ୍ଧାର ହେବାକୁ ଯାଉଛି ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ବୋର୍ଡ ସଭାପତି କହିଛନ୍ତି, ମୂଲ୍ୟାୟନରେ କିଛି ତ୍ରୁଟି ହୋଇନାହିଁ । ସ୍କୁଲ ତରଫରୁ ଦୁଇଟି ପରୀକ୍ଷା ଏବଂ ଚାରିବର୍ଷର ପରୀକ୍ଷା ନମ୍ବରକୁ ତର୍ଜମା କରି ନମ୍ବର ଦିଆଯାଇଛି । ଯେଉଁ ଛାତ୍ରଛାତ୍ରୀ ମୂଲ୍ୟାୟନରେ ଅସନ୍ତୁଷ୍ଟ, ସେମାନେ ପରୀକ୍ଷା ଦେଇପାରିବେ ।

କୋଭିଡ ପାଇଁ ଚଳିତବର୍ଷ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପୂର୍ବବର୍ଷ ରେଜାଲ୍ଟ ଆଧାରରେ ମୂଲ୍ୟାନ କରାଯାଇ ନମ୍ବର ଦିଆଯାଇଥିଲା । ଏପରିକି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦୂର ପାଇଁ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଅର୍ଥାତ 97 ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିଲେ । ଯଦିଓ ବୋର୍ଡ କର୍ତ୍ତୃପକ୍ଷ ପାସ୍ ହାର ବଢାଇଦେଲେ, କିନ୍ତୁ ଏଭଳି ମୂଲ୍ୟାୟନ ଆଧାରରେ କିଛି ମେଧାବୀ ଛାତ୍ରଛାତ୍ରୀ ବଳି ପଡିଗଲେ ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here