କଣ୍ଟାମାଳ : ଗତକାଲି ଚତୁର୍ଥ ଶନିବାର ଛୁଟି ଥିବାବେଳେ କଣ୍ଟାମାଳ ବନଖଣ୍ଡ ଅନ୍ତର୍ଗତ ଲାଖ ପର୍ବତ ଠାରେ ବନ ବିଭାଗର ବଡ ବଡ ବାବୁମାନେ ଭୋଜି ଆୟୋଜନ କରିଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସମେତ ତିନି ସହକାରୀ ବନ ସଂରକ୍ଷକ ମଧ୍ୟ ଲାଖ ପର୍ବତରେ ପହଞ୍ଚି ଯାଇଥିଲେ l ମାତ୍ର ଛକି ରହିଥିଲେ ଗ୍ରାମବାସୀ । ଗାଁ କୁ ସଂଯୋଗ କରୁଥିବା ଏକ ରାସ୍ତା ପାଇଁ ବନ ବିଭାଗ ଅନୁମତି ଦେଉ ନଥିବାରୁ ବନ ବିଭାଗ ବାବୁମାନଙ୍କୁ ନାକେଦମ ହେବାକୁ ପଡିଲା ।

ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାମାଳ ରେଞ୍ଜ ଲମ୍ବସରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡା ପଦର ଓ ଜାମୁଖୋଲ୍ ଗ୍ରାମବାସୀ ଖବର ପାଇଥିଲେ ଯେ ଶନିବାର ଦିନ ବୌଦ୍ଧ ସହରରୁ ବନ ବିଭାଗର ବଡ ବଡ଼ିଆ ବାବୁମାନେ ଭୋଜି କରିବାକୁ ଆସୁଛନ୍ତି । ବଡ଼ ଝାରମୁଣ୍ଡା ଗ୍ରାମରୁ ପିଣ୍ଡା ପଦର ଯାଇଥିବା ବନ ବିଭାଗ ରାସ୍ତା ପ୍ରଧାନ ମନ୍ତ୍ରୀ ସଡକ ହେବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର କରି ସାରିଥିବା ବେଳେ ବନ ବିଭାଗ ଠାରୁ ଅନୁମତି ମିଳୁ ନଥିବା ହେତୁ ରାସ୍ତା କାମ ଅଟକି ରହିଛି | ଗ୍ରାମରେ ପଲ୍ଲୀସଭା କରି ଲୋକେ କଣ୍ଟାମାଳ ରେଞ୍ଜରଙ୍କୁ ବହୁ ପୁର୍ବରୁ ଜଣାଇଥିଲେ ମଧ୍ୟ ରେଞ୍ଜର ଲୋକଙ୍କୁ ଆଶ୍ୱାସନା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିବାରୁ ଲୋକେ ରାଗିକି ରହିଥିଲେ । ଭୋଜିକୁ ବରିଷ୍ଠ ଅଧିକାରୀମାନେ ଆସିବାକୁ ଥିବା ଖବର ପାଇ ଶତାଧିକ ଗ୍ରାମବାସୀ ପିଣ୍ଡାପଦର ଛକରେ ଗୁହାରୀ କରିବାକୁ ଅପେକ୍ଷା କରିଥିଲେ l ଦିନ ପ୍ରାୟ ଘ. 1. 30 ମିନିଟ ସମୟରେ ଡି. ଏଫ. ଓ., ଏ. ସି. ଏଫ., କଣ୍ଟାମାଳ ରେଞ୍ଜ ଅଫିସର୍ ସେହି ବାଟରେ ଆସୁଥିବା ବେଳେ ଲୋକେ ପିଣ୍ଡା ପଦର ଛକରେ ଅଟକାଇ ଥିଲେ l ଡି. ଏଫ. ଓ. ଙ୍କ ଗାଡି କୌଶଳ କ୍ରମେ ପଛକୁ ବୁଲାଇ ଚାଲି ଯିବାକୁ ସକ୍ଷମ ହୋଇଥିଲା ମାତ୍ର ତିନି ଏ. ସି. ଏଫ. ଓ କଣ୍ଟାମାଳ ରେଞ୍ଜ ଅଫିସର୍, ଫରେଷ୍ଟର ଲୋକଙ୍କ ହାବୁଡରୁ ଖସିପାରି ନ ଥିଲେ । ସେଭଳି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆସିଲେ ବନ ବିଭାଗ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ପଡିଥିଲେ l

LEAVE A REPLY

Please enter your comment!
Please enter your name here