ଆଫଗାନିସ୍ଥାନ ରାଜଧାନୀ କାବୁଲରେ ପଶିଲା ତାଲିବାନ ସେନା । ଅଧାରୁ ଅଧିକ ପ୍ରାଦେଶିକ ରାଜଧାନୀ ଅକ୍ତିୟାର କରିବା ପରେ କାବୁଲ ମୁହାଁ ତାଲିବାନ ସେନା କାବୁଲ ସହରରେ ପହଞ୍ଚିବା ପରେ ଆତଙ୍କ ଖେଳିଯାଇଛି । ତେବେ କାବୁଲ ଦଖଲ ପାଇଁ କୌଣସି ରକ୍ତପାତ କରାଯିବ ନାହିଁ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଯେଉଁମାନେ ଚାହିଁବେ, ସେମାନେ ସହର ଛାଡି ଯାଇପାରିବେ ଏବଂ ସେମାନଙ୍କୁ ବାଧା ଦିଆଯିବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଛି । କୌଣସି ସାଧାରଣ ଲୋକଙ୍କର କ୍ଷତି ପହଞ୍ଚାଇବ ନାହିଁ ବୋଲି ମଧ୍ୟ ତାଲିବାନ କହିଛି । କାବୁଲ ସହର ଦଖଲ ପାଇଁ ତାଲିବାନ ସେନା ସହରକୁ ଚତୁଃପାର୍ଶ୍ବରୁ ଘେରି ରହିଛନ୍ତି ।

ଅନ୍ୟପକ୍ଷରେ ଆମେରିକା ହେଲିକପ୍ଟର କାବୁଲ ସ୍ଥିତ ଦୂତାବାସରେ ଲ୍ୟାଣ୍ଡିଂ କରିବା ସହ ଆମେରିକୀୟ ସୈନ୍ୟ ଓ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରର୍କ୍ରିୟା ଆରମ୍ଭ କରିଛି । ଆମେରିକା ରାଷ୍ଟ୍ରପତି ବାଇଡେନ କହିଛନ୍ତି, ଆବଶ୍ୟକ ହେଲେ ଆଫଗାନିସ୍ଥାନରୁ ସମସ୍ତ କର୍ମଚାରୀ ଓ ସୈନ୍ୟ ପ୍ରତ୍ୟାହାର ପାଇଁ 5 ହଜାର ସୈନ୍ୟ ପଠାଯିବ । ପ୍ରାୟ 30 ହଜାର ଆମେରିକୀୟ ନାଗରିକ ଆଫଗାନିସ୍ଥାନରେ ରହିଛନ୍ତି । ଆମେରିକୀୟ ନାଗରିକଙ୍କ କ୍ଷତି ପହଞ୍ଚାଇଲେ ତାଲିବାନଙ୍କୁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ ବୋଲି ବାଇଡେନ ଚେତାବନୀ ଦେଇଛନ୍ତି । ବ୍ରିଟେନ ମଧ୍ୟ ନିରାପଦରେ ତାର ନାଗରିକଙ୍କୁ ଫେରାଇ ଆଣିବାକୁ ହେଲିକପ୍ଟର ପଠାଇଛି । ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ, 90 ଦିନ ଭିତରେ ତାଲିବାନ କାବୁଲ ସହରକୁ ଦଖଲ କରିନେବ ।

ତାଲିବାନ ସେନା ଗୋଟିକ ପରେ ଗୋଟିଏ ସହର ଦଖଲ କରି ଚାଲିଥିବା ବେଳେ ଆଫଗାନିସ୍ଥାନ ସରକାର ରକ୍ତପାତ ସପକ୍ଷରେ ନାହାଁନ୍ତି ବୋଲି ରାଷ୍ଟ୍ରପତି ଘାନି କହିଛନ୍ତି । ଏକପ୍ରକାର ତାଲିବାନ ନିକଟରେ ଆତ୍ମସମର୍ପଣ କରିବା ଭଳି ସ୍ଥିତିରେ ରହିଛନ୍ତି ଆଫଗାନିସ୍ଥାନ ସରକାର ।

LEAVE A REPLY

Please enter your comment!
Please enter your name here