ପଖାଳ ଖାଇବା କଥା କହିଲେ ଲୋକେ ହସି ଉଡାଇ ଦେଉଥିଲେ । ଧନୀ ଲୋକେ ନାକ ଟେକନ୍ତି, କିନ୍ତୁ ଗରିବ ଲୋକ ପାଇଁ ପଖାଳ ଭରସା । ତେବେ ଓଡିଆ ଘରର ପଖାଳ ଏବେ ପହଞ୍ଚିଛି ମେଡିକାଲ ସାଇନ୍ସ ଗବେଷଣାଗାରରେ । ଆଉ ପଖାଳକୁ ମିଳିଛି ପୁରସ୍କାର । ଚିକିତ୍ସା ଗବେଷକଙ୍କ ଏହି ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେବାଭଳି ଖବର ଆଣି ଦେଇଛି । ଆମ ଶରୀରରେ ପଖାଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଭୁବନେଶ୍ୱରସ୍ଥିତ ଏମ୍ସ ଡାକ୍ତର ବାଲମୁରୁଗାନ ରାମଦାସ ପଖାଳକୁ ନେଇ ଆରମ୍ଭ କରିଥିଲେ ଗବେଷଣା । କେବଳ ଓଡିଆ ଘରର ପଖାଳ ନୁହେଁ, ଦେଶର ଆଉ କେତେକ ରାଜ୍ୟର ପଖାଳ ମଧ୍ୟ ଗବେଷଣାରେ ସାମିଲ ହୋଇଥିଲା । ଆଉ ଶେଷରେ ପଖାଳ ଗବେଷଣାରୁ ଡାକ୍ତର ଯେଉଁ ତଥ୍ୟ ପାଇଥିଲେ, ତାହା ଏବେ ଗରିବ ଓଡିଆ ପାଇଁ ପୁରସ୍କାର ପାଇବା ଭଳି କଥା । ବାସି ପଖାଳରେ ଏମିତି ଶକ୍ତି ଅଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ । ରାତିରେ ପଖଳା ହୋଇଥିବା ତୋରାଣୀରେ ଭିଟାମୀନ ବି-୧୨ ଓ ଭିଟାମିନ-କେ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟତା କରିଥାଏ । ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋବାସିଲସ ନାମକ ସକରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୂନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ହୋଟେଲରେ ପଖାଳ ନୁହେଁ ବଂର ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ଜଣେ ଦିନକୁ ଅଧ ଲିଟର ବାସି ତୋରାଣୀ ପିଇଲେ ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here