ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଖୁବ୍ ବ୍ୟଗ୍ର. ମାତ୍ର ନବୀନ ପଟ୍ଟନାୟକଙ୍କ ସରକାର ଶାସନରେ ରହିବାର 18 ବର୍ଷ ପରେ ବିଧାନ ପରିଷଦ ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପଛରେ କାରଣ କଣ ? ବିଧାନ ପରିଷଦ ଗଠନ ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ନେତୃତ୍ବରେ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟରେ ଥିବା ବିଧାନ ପରିଷଦ ଗଠନ ଓ କାର୍ଯ୍ୟଧାରାକୁ ଅନୁଶୀଳନ କରିବା ପରେ ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି. ବିଧାନସଭା ମୌସୁମୀ ଅଧିବେଶନରେ ବିଧାନ ପରିଷଦ ବିଲ୍ ଉପସ୍ଥାପନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି. ମାତ୍ର ସବୁଠୁ ବଡ ପ୍ରଶ୍ନ ହେଉଛି, ଓଡିଶା ବିଧାନସଭା ଗଠନର ଦୀର୍ଘବର୍ଷ ପରେ ଏବଂ ନବୀନଙ୍କ ନେତୃତ୍ବରେ ଦୀର୍ଘ 18 ବର୍ଷ ସରକାର ଚାଲିଥିବା ବେଳେ ହଠାତ ବିଧାନ ପରିଷଦ ଗଠନର କି ଆବଶ୍ୟକ ପଡିଲା ? ରାଜ୍ୟ ବିକାଶରେ ବିଧାନସଭାର ଭୂମିକା ଯଥେଷ୍ଟ ହେଉନାହିଁ କି ? ଏସବୁର ଉତ୍ତର ଖୋଜିଲେ ରାଜ୍ୟ ବିକାଶ ସହ ଏହାର କିଛି ସମ୍ପର୍କ ନାହିଁ. କ୍ଷମତା ସିଂହାସନ ଅତୁଟ ରଖିବା ପାଇଁ ଚାଲିଥିବା ରଣକୌଶଳ ପ୍ରକ୍ରିୟାରେ ଶଙ୍ଖ ଦଳ ଗତ କିଛି ମାସ ଭିତରେ ଅନ୍ୟ ଦଳର ନେତାମାନଙ୍କୁ ନିଜ ଦଳରେ ସାମିଲ କରିନେଇଛି. ପ୍ରତିବଦଳରେ ସେମାନଙ୍କୁ କ୍ଷମତା ସିଂହାସନର ଲୋଭ ବି ଦେଖାଯାଇଛି. କାହାକୁ ବିଧାନସଭା ଟିକଟ ତ ଆଉ କାହାକୁ ନିଗମ ଲଡୁ. ବିରୋଧୀ ଶିବିରକୁ ନଷ୍ଟ କରିବା ପାଇଁ ଏହା ରାଜନୈତିକ ରଣକୌଶଳର ଅଂଶବିଶେଷ. ମାତ୍ର ଆଶାୟୀଙ୍କ ତୁଳନାରେ ବିଧାନସଭା ଆସନ ନିଅଣ୍ଟ ପଡୁଛି. ସେପଟେ ଅନ୍ୟ ଦଳର ନେତା ଓ କର୍ମୀଙ୍କ ମିଶ୍ରଣ ପରେ ଦଳର ପୁରୁଣା ନେତାମାନେ ବି ଛାନିଆ. ସେମାନଙ୍କ ଚୌକି ରହିବ କି ନାହିଁ. ଅତଏବ ଏସବୁ ଗଣିତ ଭିତରେ ଏବେ ଶଙ୍ଖ ଦଳ ଭିତରେ ଅସନ୍ତୋଷ କୁହୁଳିବା ଆରମ୍ଭ ହୋଇଯାଇଛି. ଦଳୀୟ ଅସନ୍ତୋଷ ଚାପିବା ପାଇଁ ଆରମ୍ଭ ହୋଇଛି ବିଧାନ ପରିଷଦ ଗଠନ ଅଭିଯାନ. କମିଟି ଦେଇଥିବା ସୁପାରିଶ ଯଦି ବିଧାନସଭାରେ ପାରିତ ହେବ, ତେବେ ପରିଷଦକୁ 49 ଜଣ ମନୋନୀତ ହେବେ. ସେମାନଙ୍କୁ ବିଧାୟକଙ୍କ ପରି ଦରମା, ହାତପାଣ୍ଠି ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି.

LEAVE A REPLY

Please enter your comment!
Please enter your name here