ଚାରିଦିନ ଯୁଦ୍ଧ ପୁରା ହେଲାନି । ଅଧାରୁ ଅସ୍ତ୍ର ବିରତି ହୋଇଗଲା । ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ପରେ ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେଲେ । ଆମେରିକା ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି ହେଲେ ବୋଲି ପ୍ରଥମେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍ କରି ଜଣାଇଳେ । ଟ୍ରମ୍ପଙ୍କ ଟ୍ବିଟ୍ ପରେ ଦୁଇ ଦେଶର ସରକାର ସେନାବାହିନୀକୁ ଏହି ନିଷ୍ପତ୍ତି ଜଣାଇଦେଲେ । ଆମେ ଯୁଦ୍ଧ ସପକ୍ଷରେ ନୁହଁ, ଶାନ୍ତିପ୍ରିୟ ବୋଲି କୁହାଗଲା । ଭାରତ ପକ୍ଷରୁ କୁହାଗଲା, ଯୁଦ୍ଧ ବିରତି ପାଇଁ ପାକିସ୍ତାନର ପ୍ରସ୍ତାବ ଉପରେ ଭାରତ ସହମତି ଜଣାଇଲା । ଅର୍ଥାତ ଭାରତୀୟ ସେନା ଆକ୍ରମଣରେ ପାକିସ୍ତାନ ଡରିଯିବାରୁ ଯୁଦ୍ଧ ବିରତି ପାଇଁ କହିଲା । ପାକିସ୍ତାନରେ ସରିଫ ସରକାର ବି ତାଙ୍କ ଦେଶର ଲୋକଙ୍କୁ ପାକିସ୍ତାନ ସେନାର ବୀରତ୍ବ ଓ ସାହସିକତା କଥା ବଖାଣିଲେ । ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ସରିଫ କହିଲେ, ସେମାନଙ୍କ ସେନା କିଭଳି ଭାରତର ପାଞ୍ଚଟି ରାଫେଲ ଯୁଦ୍ଧ ବିମାନକୁ ଗୁଳି କରି ଖସାଇଦେଲେ । ପାକିସ୍ତାନ ସେନାର ଆକ୍ରମଣରେ ଭାରତର ବହୁ ଅଞ୍ଚଳ କିପରି ଛାରଖାର ହୋଇଗଲା । ସାଂସଦମାନେ ଟେବୁଲ ବାଡେଇ ଖୁସି ମନେଇଲେ । ଏ ଥିଲା ଯୁଦ୍ଧ ପରେ ଦୁଇ ଦେଶର ସରକାରଙ୍କ କଥା । ମୋଟାମୋଟି କହିବାକୁ ଗଲେ ଦୁଇଦେଶର ସରକାର ଯୁଦ୍ଧକୁ ନେଇ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯୁଦ୍ଧର କାରଣ ଆମେ ଜାଣିଛେ । କିନ୍ତୁ ଯୁଦ୍ଧରୁ ଆମକୁ କଣ ମିଳିଲା ? ଯେଉଁ କାରଣ ପାଇଁ ଆମେ ଯୁଦ୍ଧ କରୁଥିଲେ, ତାହା ହାସଲ କରିପାରିଲେ କି ? ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନା ପକ୍ଷରୁ କୁହାଗଲା, ଆମେ ପାକିସ୍ତାନ ନୁହେଁ, ଆତଙ୍କବାଦ ବିରୋଧରେ ଯୁଦ୍ଧ କରୁଥିଲୁ । ଯଦି ଆତଙ୍କବାଦ ବିରୋଧରେ ଏ ଯୁଦ୍ଧ ଥିଲା, ଏ ଚାରିଦିନିଆ ଯୁଦ୍ଧରେ ଆତଙ୍କବାଦ ଶେଷ କରିପାରିଲେ କି ? ଏ ଯୁଦ୍ଧ ପରେ ଆଉ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବେ ନାହିଁ କି ? ଏ ଯୁଦ୍ଧ ପରେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିଦେବ କି ? ଯଦି ଏ ସବୁ ପ୍ରଶ୍ନର ଉତ୍ତର ନା ହୁଏ, ତେବେ ଆମେ ଯୁଦ୍ଧରୁ ବିରାମ ନେଲେ କଣ ପାଇଁ ? ଭାରତୀୟ ସେନାର ସାହସ, ବୀରତ୍ବ ଏବଂ ଦେଶର ସାମରିକ ସାମର୍ଥ୍ୟ ଉପରେ ଦେଶବାସୀଙ୍କ ଯଥେଷ୍ଟ ଭରସା ରହିଛି । ମାତ୍ର ଯେଉଁ ଲକ୍ଷରେ ଆମେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲେ, ସେ ଲକ୍ଷ ହାସଲ କରିବାରେ ଆମେ ଯେ ପୂର୍ଣ୍ଣ ସଫଳ ହୋଇନାହୁଁ, ଏଥିରେ ସନ୍ଦେହ କରିବାର କିଛି ନାହିଁ ।

ପେହଲଗାମରେ ଆମର 26 ଜଣ ନୀରିହ ପର୍ଯ୍ୟଟକଙ୍କୁ ସେମାନେ ଗୁଳି କରି ହତ୍ୟା କଲେ । ତାର ଜବାବରେ ଆମେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଆଡ୍ଡା ଉପରେ ବୋମା ପକେଇ ଧ୍ବଂସ କରିଦେଲୁ । ସେନା କାର୍ଯ୍ୟାନୁଷ୍ଠାନ ପ୍ରଶଂସାଯୋଗ୍ୟ । ମାତ୍ର ପରବର୍ତ୍ତୀ ସ୍ଥିତିରେ ଯେତେବେଳେ ପାକିସ୍ତାନ ଆକ୍ରମଣ କଲା ଏବଂ ଭାରତ ତାର ପାଲଟା ଜବାବ ଦେଲା, ତାର ପରିଣାମ କଣ ହେଲା ? ଆମେ ପାକିସ୍ତାନର କେତେ କ୍ଷତି କଲୁ, କେତେ ବିମାନଘାଟି ଉପରେ ଏୟାରଷ୍ଟ୍ରାଇକ୍ କଲୁ, ତାହା ଭିନ୍ନ କଥା । କିନ୍ତୁ ଚାରିଦିନିଆ ଯୁଦ୍ଧରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆମର ବ୍ୟାପକ କ୍ଷୟକ୍ଷତି ହେଲା । ଆମର ଆଉକିଛି ନାଗରିକ ପ୍ରାଣ ହରାଇଲେ । ଆଉ କିଛି ଯବାନ ସହିଦ ହେଲେ । କିନ୍ତୁ ଯୁଦ୍ଧକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇ ପାରିଲୁନି । ଭାରତୀୟ ଗଣମାଧ୍ୟମ ଯେତେ ଡେଙ୍ଗୁରା ବାଡେଇ ଆମେ ଯୁଦ୍ଧରେ ଏମିତି କରିଦେଲୁ, ସେମିତି କରିଦେଲୁ କହି ରଙ୍ଗ ଲଗାଇଲେ ବି ଆମେ ଯେ ଲକ୍ଷ୍ୟ ହାସଲର ଉପସଂହାରରେ ପହଞ୍ଚିପାରିଲୁନି, ଏହା ନିରାଟ ସତ୍ୟ ।

ଯଦି ଆମେ ଲକ୍ଷ୍ୟ ହାସଲ କରିପାରିଲୁନି, ତାହେଲେ ଯୁଦ୍ଧରେ ବିରାମ କଣ ପାଇଁ ? ଚୀନ୍ କହିଲା, ଆମେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ଆସିଲେ ଚୁପ୍ ହୋଇ ବସିବୁନି । ପାକିସ୍ତାନ ଆମ ଭାଇ । ବାଂଲାଦେଶ କହିଲା, ପାକିସ୍ତାନ ଉପରେ ଆକ୍ରମଣ କଲେ ଆମେ ଭାରତ ଉପରେ ଆକ୍ରମଣ କରିବୁ । ମାତ୍ର ଗୋଟିଏ ଦେଶ ବି ଆମ ପାଇଁ ବାହାରିଲେନି । ଗୋଟିଏ ଦେଶ ବି ଖୋଲାଖୋଲି ପାକିସ୍ତାନକୁ ଧମକାଇଲେନି । ଏଥିରେ ଆମେ ଅନ୍ୟଦେଶ ସହ ବନ୍ଧୁତା କଥା କହୁଛୁ । ବରଂ ଯେଉଁ ତୁର୍କୀକୁ ଭୂକମ୍ପ ବେଳେ ଦୁଇବର୍ଷ ତଳେ ଆମେ ସାହାଯ୍ୟ କରିଥିଲେ, ସେ ମଧ୍ୟ ମୁହଁ ପୋଛିଦେଲା । ଯୁଦ୍ଧ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚି ନ ଥିବା ବେଳେ ଟ୍ରମ୍ପ କହିଦେଲେ, ଆମେ ଯୁଦ୍ଧ ବନ୍ଦ କରିଦେଲୁ । କିନ୍ତୁ ଆତଙ୍କବାଦ ବନ୍ଦ କରିବା ପାଇଁ ପାକିସ୍ତାନଠୁ ଘୋଷଣାନାମା ଦସ୍ତଖତ କରାଇପାରିଲୁନି । ଏହା ଅର୍ଥ ଅନ୍ୟ ଦେଶ ଭଳି ଆମେ ବି ଆମେରିକାକୁ ଡରୁଛୁ ? (ଅପୂର୍ବ କୁମାର ମହାନ୍ତି)

LEAVE A REPLY

Please enter your comment!
Please enter your name here