ଭାରତ, ରୁଷ ଓ ଚୀନଙ୍କ ଏକତା ଦୁନିଆର ରାଜନୈତିକ ସମୀକରଣକୁ ପରିବର୍ତ୍ତନ କରିପାରେ । ଶୁଣିବାକୁ ମିଳୁଛି ଯେ, ଏକବିଂଶ ଶତାବ୍ଦୀ ଏସିଆର ହେବ । କିନ୍ତୁ, ଏହା ବାସ୍ତବରେ କେବେ ଘଟିବ। ଏଥରର ସାଂଘାଇ ସହଯୋଗ ସଂଗଠନ ଶିରଖ ସମ୍ମିଳନୀ ପୂରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ପ୍ରାୟ ପ୍ରତିଟି ଛବିରେ ଟ୍ରମ୍ପଙ୍କ ସିଧା ନଜର ଥିଲା ଏବଂ ଟିପ୍ପଣୀ କରି ଚାଲିଥିଲେ । ଟ୍ରମ୍ପ ଯେଉଁଭଳି ଭାବେ ସମସ୍ତ ଦେଶ ଉପରେ ଟାରିଫ ଲଦିଛନ୍ତି ଏବଂ ଭାରତ ଉପରେ ସର୍ବାଧିକ ଟ୍ୟାକ୍ସ ଲଗାଇଛନ୍ତି ଏଥିରେ ତିନି ଦେଶକୁ ଏକାଠି ଆସିବାକୁ ପ୍ରୋତ୍ସାହିତ କରିଛି ।
ବୈଶ୍ୱିକ କୂଟନୀତିରେ ଯଦି ରୁଷ, ଭାରତ ଓ ଚୀନ ସମାନ ମାର୍ଗରେ ଅଗ୍ରସର ହୁଅନ୍ତି, ତେବେ ଆଗାମୀ କିଛି ବର୍ଷ ଦୁନିଆର ପାଇଁ ନିର୍ଣ୍ଣାୟକ ହୋଇପାରେ । ରୁଷ ପୂର୍ବରୁ ବହୁଥର ଏକଜୁଟତାର ଉଦ୍ୟମ କରିଥିଲା, କିନ୍ତୁ ଭାରତ-ଚୀନ ସୀମା ବିବାଦ ଏବଂ ବାଣିଜ୍ୟିକ ସ୍ତରରେ ପ୍ରତିଦ୍ବନ୍ଦିତା ଏଥିରେ ବାଧା ସୃଷ୍ଟି କରିଥିଲା । ୧୯୮୮ରେ ଭାରତ ଯାତ୍ରା ସମୟରେ ରୁଷ ପ୍ରଧାନମନ୍ତ୍ରୀ ୟେଭଗେନି ପ୍ରିମାକୋଭ “ଆରଆଇସି” ଷ୍ଟ୍ରାଟେଜିକ ଟ୍ରାଇଆଙ୍ଗଲ ପ୍ରସ୍ତାବ ରଖିଥିଲେ । ପରେ, ୨୦୦୬ରେ ପ୍ରଥମ ଥର ଆରଆଇସି ନେତାଙ୍କ ସଭା ହୋଇଥିଲା ଏବଂ ୨୦୦୭ରେ ବୈଦେଶିକ ମନ୍ତ୍ରୀମାନେ ସହଯୋଗ ଉପରେ ଆଲୋଚନା କରିଥିଲେ । ମୋଟାମୋଟି ୨୦୦୨ରୁ ୨୦୨୦ ପର୍ଯ୍ୟନ୍ତ ଆରଆଇସିର ୨୦ରୁ ଅଧିକ ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜିତ ହୋଇଛି । ମାତ୍ର ଏହି ଅନୌପଚାରିକ ସଂଗଠନ କେବେ ଆଗକୁ ବଢି ପାରି ନ ଥିଲା । ପୁଣି ୨୦୨୦ରେ ଗଲୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସମ୍ପର୍କ ରେ ତିକ୍ତତା ଆସିଥିଲା ଏବଂ ତିନି ରାଷ୍ଟ୍ର ଏକତ୍ର ଆସିବା ଅସମ୍ଭବ ହେଇଗଲା। ହେଲେ ଟ୍ରମ୍ପଙ୍କ ଟାରିଫ ୱାର ଏହି ତିନି ଦେଶକୁ ଏବେ ଏକାଠି ଆସିବାକୁ ବାଧ୍ୟ କରିଛି ।
ଆରଆଇସି ଦେଶର ମିଳିତ ଜିଡିପି ପ୍ରାୟ ୫୪ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ରହିଛି ।
ଯାହା ବିଶ୍ୱ ଉତ୍ପାଦନର ପ୍ରାୟ ୩୦ ପ୍ରତିଶତ। ଏହି ତିନି ଦେଶରେ ବିଶ୍ୱର ୩୮ ପ୍ରତିଶତ ଲୋକ, ଅର୍ଥାତ୍ ୩.୧ ବିଲିୟନ (ପ୍ରାୟ ୩୦୦ କୋଟି) ଜନସଂଖ୍ୟା ବସବାସ କରୁଛନ୍ତି। ବିଦେଶୀ ମୁଦ୍ରା ସଞ୍ଚୟ ୪.୭ ଟ୍ରିଲିୟନ ଡଲାର, ଯାହା ଆନ୍ତର୍ଜାତୀୟ ସଞ୍ଚୟର ୩୮ ପ୍ରତିଶତ। କିନ୍ତୁ, ସୀମା ବିବାଦ ଓ ପ୍ରତିଦ୍ବନ୍ଦିତା କାରଣରୁ ଭାରତ ଓ ଚୀନର ସମ୍ପର୍କ ବାଧା ସୃଷ୍ଟି କରୁଛି।













