କଟକ ଜାତୀୟ ରାଜପଥରେ ଚଳନ୍ତା ଅଟୋରେ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ । ପ୍ରତିବାଦ କରିବାରୁ ନାବାଳିକାକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଜଣକ । ଗତ 8 ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ । ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋଚାଳକଙ୍କୁ ପାଣି ମାଗିଥିଲେ । ତେବେ ତାଙ୍କ ପାଖରେ ପାଣି ନଥିବା ଅଟୋ ଚାଳକ କହିଥିଲେ । ସେହି ସମୟରେ ନାବାଳିକାଙ୍କ ସାଙ୍ଗ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଅଟୋ ଚାଳକ ଜଣକ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରି ନିର୍ଯ୍ୟାତନା ଦେଇଥିଲା । ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି । ଯାହାକୁ ନେଇ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରାଯାଇଛି । ଅଭିଯୁକ୍ତର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ରହି ଅଟୋ ଚଲାଉଥିବା ସୂଚନା ଦେଇଛନ୍ତି କଟକ ଡିସିପି ରସିକେଶ ଖିଲାରୀ । ଏବେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି।














