ଆଜି ମେଲାଣି ନେବେ ମା ଦୁର୍ଗା । ବିଭିନ୍ନ ପୂଜାମଣ୍ଡପରେ ଗତ ଚାରିଦିନ ଧରି ପୂଜା ପାଉଥିବା ଜଗତଜନନୀ ଦେବୀ ଦୁର୍ଗାଙ୍କୁ ବିଦାୟ ଦେବେ ଭକ୍ତ । ଗତକାଲି ଦଶହରାର ଅନ୍ତିମ ଦିନରେ ବିଭିନ୍ନ ପୂଜାମଣ୍ଡପରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା । ଆଜି ଅପରାହ୍ନରୁ ଦେବୀଙ୍କ ଭସାଣୀ ପର୍ବ ଆରମ୍ଭ ହେବ । ଏଥିପାଇଁ ଟ୍ବିନସିଟି ଭୁବନେଶ୍ବର ଓ କଟକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଭିଡ ନିୟନ୍ତ୍ରଣ କରିବାକୁ ଭସାଣି ସମୟରେ ଟ୍ରାଫିକ ନିୟମ ଜାରି କରାଯାଇଛି । ଭୁବନେଶ୍ବରରେ ସହିଦନଗର ଭସାଣି ପାଇଁ ବାଣୀବିହାର ପଟୁ ସହର ଭିତରକୁ ଗାଡିମଟର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସେହିପରି ନୂଆପଲ୍ଲୀ ଭସାଣି ଯାତ୍ରା ବେଳେ ସିଆରପି ଛକ ଦେଇ ଯାନବାହନ ଯିବା ଉପରେ କଟକଣା ଜାରି କରାଯାଇଛି । ସିଆରପି ପଟୁ ବାଣୀବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହନ ଏକାମ୍ରକାନନ, ବିଜୁପଟ୍ଟନାୟକ କଲେଜ ଛକ, ଜୟଦେବ ବିହାର ଛକ ଦେଇ ଯାଇପାରିବେ ।

ସେହିପରି କଟକରେ ଭସାଣି ସମୟରେ ଟ୍ରାଫିକ ରୁଟରେ ପରିବର୍ତ୍ତନ କରାଯାଇଛି । କଟକରେ କଲେଜଛକଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଯାନବାହନ ଯାତାୟତ ଉପରେ କଟକଣା ଜାରି କରାଯାଇଛି । ଚୌଧୁରୀବଜାର ଛକରୁ ପୂର୍ଣ୍ଣସାହୁ ଛକ ଏବଂ ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିପାରିବ ନାହିଁ । କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here