ଆମେରିକା ଏବଂ ନାଟୋ ଦେଶଗୁଡ଼ିକ ରୁଷରୁ ତୈଳ କ୍ରୟ ଉପରେ ଶୁଳ୍କ ଏବଂ ପ୍ରତିବନ୍ଧକ ଲଗାଇବା ପାଇଁ ଚାପ ଦେଉଛନ୍ତି, କିନ୍ତୁ ଚୀନ୍ କହିଛି ଯେ ସେ କୌଣସି ଯୁଦ୍ଧ ଯୋଜନାରେ ସାମିଲ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନାଟୋ ଦେଶଗୁଡ଼ିକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ଏବଂ କଠୋର ଆର୍ଥିକ କଟକଣା ଲାଗୁ କରିବାକୁ ଅପିଲ୍ କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ କିଛି ନାଟୋ ଦେଶ ଏବେ ବି ରୁଷରୁ ତେଲ କିଣି ମିତ୍ରତାର ସ୍ଥିତିକୁ ଦୁର୍ବଳ କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯେପର୍ଯ୍ୟନ୍ତ ନାଟୋ ଦେଶଗୁଡ଼ିକ ଏକତ୍ରିତ ହୋଇ ଏପରି ପଦକ୍ଷେପ ନ ନିଅନ୍ତି ସେପର୍ଯ୍ୟନ୍ତ ଆମେରିକା ରୁଷ ଉପରେ ବଡ଼ ପରିମାଣରେ ନୂତନ କଟକଣା ଲାଗୁ କରିବ ନାହିଁ। ସ୍ଲୋଭେନିଆ ଗସ୍ତ ସମୟରେ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ ଏବଂ ପ୍ରତିବନ୍ଧକ କେବଳ ପରିସ୍ଥିତିକୁ ଜଟିଳ କରିଥାଏ। ୱାଙ୍ଗ ୟି କହିଛନ୍ତି ଯେ ଚୀନ୍ ଯୁଦ୍ଧରେ ଷଡ଼ଯନ୍ତ୍ର କରେ ନାହିଁ କିମ୍ବା ଏଥିରେ ଅଂଶଗ୍ରହଣ କରେ ନାହିଁ, ଯାହାକୁ ଆମେରିକା ପାଇଁ ଏକ ସିଧାସଳଖ ବାର୍ତ୍ତା ବୋଲି ବିବେଚନା କରାଯାଉଛି। ଆମେରିକା ପୂର୍ବରୁ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିସାରିଛି, ଯେତେବେଳେ ଚୀନ୍ ଉପରେ ଏପର୍ଯ୍ୟନ୍ତ ସିଧାସଳଖ କଟକଣା ଲାଗୁ କରାଯାଇନାହିଁ। ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି, ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସହ କଥାବାର୍ତ୍ତା କରି, କହିଛନ୍ତି ଯେ ଉଭୟ ଦେଶ ନିଜନିଜ ପଥରୁ ପଥଚ୍ୟୁତ ହେବା ଉଚିତ୍ ନୁହେଁ ଏବଂ ସହଯୋଗ ରଖୁବା ଆବଶ୍ୟକ। ଚୀନ୍ ଏହାକୁ ସୃଷ୍ଟ କରିଛି ଯେ ସେ କୌଣସି ମୁକାବିଲାର ରାସ୍ତାରେ ଯିବାକୁ ଇଚ୍ଛୁକ ନୁହେଁ।














