ଆଇପିଏସ ଡି.ଏସ. କୁଟ୍ଟେ ଓ ଆଶୀଷ ସିଂ କାହାର ? ବିଜେଡିର ନା ବିଜେପିର ? ନିର୍ବାଚନ ପୂର୍ବରୁ ଯେଉଁ ଦୁଇ ଅଧିକାରୀଙ୍କ ବିରୋଧରେ ବିଜେପି ନେତା ବିଷ ଉଦଗାରୁଥିଲେ, କ୍ଷମତାକୁ ଆସିବା ପରେ ସେଇ ଦୁଇ ବାବୁଙ୍କୁ କେମିତି ପଦୋନ୍ନତି ଦେଇ ବସାଇଦେଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ଆଇଏଏସ ଭି.କେ. ପାଣ୍ଡିୟାନଙ୍କ ନେତୃତ୍ବରେ ଏ ଦୁଇ ଆଇପିଏସ ବାବୁ ମିଳିମିଶି ସରକାର ଚଳାଉଥିଲେ ଏବଂ ପାର୍ଟି କଥା ବି ବୁଝୁଥିଲେ । ଟିକଟ ବଣ୍ଟାଠୁ ଆରମ୍ଭ କରି ନିର୍ବାଚନ ଜିତାଇବା ପାଇଁ ରଣନୀତି ତିଆରି କରୁଥିଲେ । ତିନି ବାବୁଙ୍କ ପାଖରେ ନେତାମାନେ ଗୋଡ ଭାଙ୍ଗି ଛିଡା ହେଉଥିଲେ । ନିର୍ବାଚନ ବୈତରଣୀ ପାରି ହେବା ପାଇଁ ବିଜେଡି ଯେଉଁ ବାବୁମାନଙ୍କୁ ମୁଣ୍ଡରେ ବସାଇଥିଲା, ସେଇ ବାବୁମାନଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇ, ମିଡିଆରେ ସେମାନଙ୍କ ନାଁରେ ଗାଇ ଗାଇ ବିଜେପି ନେତାଏ ନିର୍ବାଚନ ଜିତିଗଲେ । ନିର୍ବାଚନ ବେଳେ ବିଜେପି ନେତାଙ୍କ ଆକ୍ରୋଶର ଶୀକାର ହୋଇତିବା ବାବୁମାନେ ବି ଗାଦିନାସୀନ । ଏଭଳି ଅବସ୍ଥାରେ ବାବୁମାନଙ୍କ ବିଶ୍ବସନୀୟତାକୁ ନେଇ ବିଜେଡି ନେତାଏ ସନ୍ଦେହରେ । ବିଜେଡିକୁ ହରାଇବା ପାଇଁ ତିନି ବାବୁ ମିଳିମିଶି ବିଜେପି ସହ ସଲାସୁତରା କରି ନ ଥିଲେ ତ ? ସେପଟେ ଶଙ୍ଖ ମାର୍କା ଦୁଇ ଆଇପିଏସ ବାବୁଙ୍କୁ ପଦୋନ୍ନତି ଦେବାକୁ ନେଇ ବିଜେପି ନେତାଏ ବି ଖୁସି ନାହାଁନ୍ତି । କ୍ଷମତାକୁ ଆସିବା ପରେ ବିଜେପି ନେତାଙ୍କ ନବୀନ ପ୍ରେମ ଏଯାଏଁ ବି ସରିନି ବୋଲି କୁହାକୁହି ହେଉଛନ୍ତି । ଦୁଇ ବାବୁଙ୍କୁ ଥଇଥାନ ପାଇଁ ନବୀନଙ୍କ ଚାପ କାମ କରିଥିବା କୁହାଯାଉଛି । ଯାହା ଚାପରେ ହେଉ, ଶଙ୍ଖମାର୍କା ଦୁଇ ଆଇପିଏସ ବାବୁଙ୍କ ବିରୋଧରେ କୌଣସି ପ୍ରକାର ଦୁର୍ନୀତି କି ଅନିୟମିତତାର ଫାଇଲ ଏଯାଏଁ ଖୋଲାଯାଇନି କି ଖୋଲାଯିବାର ସମ୍ଭାବନା ମଧ୍ୟ ନାହିଁ । ଏ ପ୍ରସଙ୍ଗରେ କେହି କିଛି ନ କହିଲେ ବି ବହୁଦିନର ନିରବତା ପରେ ବିଜୟ ମହାପାତ୍ର ଏବେ ମୁହଁ ଖୋଲିଛନ୍ତି । ବିଜେପି ସହ ଦୁଇବାବୁଙ୍କ ବଡ ଡିଲ୍ ହୋଇଥିବା ସେ ଆରୋପ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here