ଭୁବନେଶ୍ବର: ଡବଲ ଇଂଜିନ ସରକାରର ସୁଫଳ ଏବେ ଓଡିଶା ପାଇବା ଆରମ୍ଭ କରିଛି । କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଓଡିଶାର ଗୁରୁତ୍ବ ବୃଦ୍ଧି ପାଇବା ଭଳି ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ତିନିଦିନିଆ ଓଡିଶାଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଜନସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଦେଶରେ ଗତ ଶହେବର୍ଷ ଧରି ଡିଜିପି ସମ୍ମିଳନୀ ହୋଇଆସୁଥିଲେ ହେଁ ଓଡିଶାରେ ଏହା ପ୍ରଥମଥର ହେଉଛି ବୋଲି ସେ କହିଛନ୍ତି । ସେହିପରି ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଜି-20 ସମ୍ମିଳନୀ, ନୌସେନା ଦିବସ ସମାରୋହର ଆୟୋଜନ କରାଯାଉଛି ବୋଲି ସେ କହିଥିଲେ । ଏସବୁ କାର୍ଯ୍ୟକ୍ରମର ଆୟୋଜନ ଦ୍ବାରା ଓଡିଶା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର ଓଡିଶାକୁ ଯେତିକି ପ୍ରାଧାନ୍ୟ ଦେଉଛନ୍ତି, ପୂର୍ବରୁ ଓଡିଶାକୁ କେବେ ସେତିକି ଗୁରୁତ୍ବ ମିଳି ନ ଥିଲା । ଓଡିଶାର ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଭାବେ ଆସୀନ । ସେହିପରି ମନ୍ତ୍ରୀମଣ୍ଡଳରେ ମଧ୍ୟ ଓଡିଶାର ପ୍ରତିନିଧିତ୍ବ ଗୁରୁତ୍ବପୂର୍ଣ୍ଣ । ଦେଶର ବିଭିନ୍ନ ଉଚ୍ଚପଦପଦବୀରେ ଓଡିଆ ଅଧିକାରୀମାନେ କାର୍ଯ୍ୟ କରିବା ଓଡିଶା ପାଇଁ ଗୌରବର ବିଷୟ । ନିକଟରେ ଦିଲ୍ଲୀରେ ଆୟୋଜିତ ଓଡିଆ ପରବର ସେ ଉଚ୍ଚ ପ୍ରଶଂସା କରିଥିଲେ ।
ତିନିଦିନିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଭୁବନେଶ୍ବର ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ ରେ ମଧ୍ୟ ଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।