ବିନମ୍ରତାର ଆଉ ଏକ ନମୂନା । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସାଧାରଣ ଜୀବନଚର୍ଯ୍ୟାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପ୍ରତାପ ଷଡଙ୍ଗୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥରକ ପୋଖରୀରେ ଗାଧେଇବା କି ଗାଁ ମନ୍ଦିର ଓଳେଇବା ଭଳି କାମକୁ ନେଇ ଚର୍ଚ୍ଚାରେ ନାହାନ୍ତି, ବରଂ ଜଣେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇ ଉଦାହରଣ ସୃଷ୍ଟି କରିଛନ୍ତି । ମୟୁରଭଞ୍ଜ ଗସ୍ତବେଳେ ସେ ବଡସାହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତନଟୀ ସଂସ୍କୃତି ଭବନରେ ଆୟୋଜିତ ଦଳୀୟ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ସଭାରେ ସ୍ଥାନୀୟ ପରମ୍ପରା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ପାଦ ଧୋଇ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ପାଦ ଧୋଇବା ଘଟଣା ଷଡଙ୍ଗୀଙ୍କୁ ପୁଣି ଚର୍ଚ୍ଚିତ କରିଛି ।