ଝାଡଖଣ୍ଡରେ ଫେଲ୍ ମାରିଲା ମୋଦୀ-ଶାହାଙ୍କ ଷ୍ଟ୍ରାଟେଜୀ । ମୋଟ 81 ବିଧାନସଭା ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟକୁ ବଡ ସଫଳତା ମିଳିଛି । ଦ୍ବିତୀୟ ଥର ପାଇଁ ଜେଏମଏମ ନେତା ହେମନ୍ତ ସୋରେନ ସରକାର ଗଢିବାକୁ ଯାଉଛନ୍ତି । ଇଣ୍ଡିଆ ମେଣ୍ଟ 57ଟି ଆସନରେ ଆଗୁଆ ରହିଥିବା ବେଳେ ଏନଡିଏ 23 ଟି ଆଶନରେ ଆଗୁଆ ରହିଛି । ଏକଜିଟ ପୋଲ୍ ଏନଡିଏ ସପକ୍ଷରେ ରିପୋର୍ଟ ଦେଇଥିଲେ ହେଁ ଭୋଟଗଣତି ପରେ ଏକଜିଟ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହୋଇଛି । ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେମନ୍ତ ସୋରେନଙ୍କ ଗିରଫ ସେତେବେଳେ ଜେଏମଏମକୁ ଶକ୍ତ ଧକ୍କା ଦେଇଥିଲା । ଝାଡଖଣ୍ଡରେ ଜେଏମଏମର ବହୁ ପ୍ରଭାବଶାଳୀ ନେତା ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ମାତ୍ର ନିର୍ବାଚନରେ ହେମନ୍ତ ସୋରେନଙ୍କ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ଝାଡଖଣ୍ଡବାସୀ । ଆଦିବାସୀ ବହୁଳ ଝାଡଖଣ୍ଡରେ ବିଜେପିର ହେଭିଓ୍ବେଟ ନେତାଙ୍କ ପ୍ରଚାର ସତ୍ତ୍ବେ ଦଳକୁ ଆଶାନୁରୂପ ସଫଳତା ମିଳିନି । ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଓଡିଶାରେ ଆଦିବାସୀ କାର୍ଡ ଖେଳିଥିଲେ ହେଁ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ତାହା ପ୍ରଭାବିତ କରିବାରେ ସଫଳ ହୋଇନାହିଁ ।