ଭାରତୀୟ ସେନାର ଆକ୍ରମଣକୁ ପ୍ରତିହତ କରିବାରେ ବିଫଳ ପାକିସ୍ଥାନ ଏବେ ତୁର୍କୀ ପଠାଇଥିବା ଡ୍ରୋନର ସାହାଯ୍ୟ ନେଇଛି । ତୁର୍କୀ ପଠାଇଥିବା ଡ୍ରୋନ ସହାୟତାରେ ପାକିସ୍ଥାନ ପଞ୍ଝାବ, ରାଜସ୍ଥାନ, ଜମ୍ମୁ ଉପରେ ଆକ୍ରମଣ ଜାରି ରଖିଛି । ତେବେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକ୍ ଆକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛି । ତିନିଦିନ ଧରି ପ୍ରଚଣ୍ଡ ପ୍ରହାର ସତ୍ତ୍ବେ ପାକିସ୍ଥାନର ଚେତା ପଶିନି । ଜମ୍ମୁ କାଶ୍ମୀର ସୀମାନ୍ତରେ ଜୋରଦାର ଆକ୍ରମଣ ଜାରି ରଖିଛି । ପାକିସ୍ଥାନ ସେନାର ଆକ୍ରମଣକୁ ଜବାବ ଦେଉଛନ୍ତି ଭାରତୀୟ ସେନା । ରାଜସ୍ଥାନର ଜୟସାଲମାର ଓ ପଞ୍ଜାବର ପଠାନକୋର୍ଟ ଉପରେ ପାକିସ୍ଥାନର ଆକ୍ରମଣକୁ ଧୂଳିସାତ କରିଦେଇଛି ଭାରତୀୟ ସେନା । ପାକିସ୍ଥାନ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ଥାନର ଲାହୋର, ସିୟାଲକୋଟ ଓ କରାଚି ସହରରେ ଡ୍ରୋନ ଆକ୍ରମଣ କରିଛି । ରାଜଧାନୀ ଇସଲାମବାଦରେ ମଧ୍ୟ ଭାରତ କ୍ଷେପଣାସ୍ତ୍ର ମାଡ କରିଛି । ଭାରତୀୟ ସେନାର ଆକ୍ରମଣକୁ କେମିତି ମୁକାବିଲା କରିବେ, ତାହା ପାକିସ୍ଥାନର କଳ୍ପନା ବାହାରେ । ବିଶେଷକରି ଭାରତର ଏୟାର ଡିଫେନ୍ସ ସିଷ୍ଟମ ସୁଦୃଢ ଥିବାରୁ ପାକିସ୍ଥାନ ଛାଡୁଥିବା ଡ୍ରୋନ ଓ ମିସାଇଲ ଆକ୍ରମଣ ଫୁସକି ଯାଉଛି । ଭାରତର ଆକ୍ରମଣରେ ଏବେ ଅସହାୟ ହୋଇପଡିଛି ପାକିସ୍ଥାନ । ନିଜ ଦେଶ ଭିତରେ ମଧ୍ୟ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିଛି ପାକିସ୍ଥାନକୁ ।