ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ, ମାନିଲେ ଯୁବତୀ । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଆଗରେ ମିଛ ଅଭିଯୋଗ କରିଥିବା ମାନିଛନ୍ତି ଯୁବତୀ ଜଣଙ୍କ । ଏଥିସହ ଯୁବତୀଙ୍କ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ କୌଣସି ଅସଦାଚରଣ ହୋଇ ନାହିଁ । ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ ବେଳେ ପୋଲିସ ମାମଲାର ପର୍ଦ୍ଦାଫାସ୍ କରିଛି ।
ପୋଲିସ ଅନୁସାରେ, ଗଣଦୁଷ୍କର୍ମ ଅଭିଯୋଗ ମିଛ ଥିଲା । ମାମଲା ପାଇଁ ଜେଲ୍ରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲେ ଯୁବତୀଙ୍କ ଧରମ ଭାଇ ଓ ଅନ୍ୟ ଜଣେ । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଖୋଦ୍ ଅଭିଯୋଗକାରିଣୀ ଓ ତାଙ୍କ ମାଆ । ଉଦଳା ପୋଲିସର ତଦନ୍ତ ବେଳେ ଏ କଥା ସାମ୍ନାକୁ ଆସିଛି । ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ମାଆଝିଅ କରିଥିଲେ ଗଣଦୁଷ୍କର୍ମ ନାଟକ । ପୋଲିସ ତଦନ୍ତରୁ ଜଣାପଡ଼ିଛି, ଯୁବତୀ ଯେଉଁ ୫ ଜଣଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ସେଇମାନଙ୍କ ଅଭିଯୋଗ କ୍ରମେ ଜେଲ୍ ଯାଇଥିଲେ ଶ୍ୟାମ ସୁନ୍ଦର । ଆଉ ସେମାନଙ୍କୁ ଫସାଇବାକୁ ଯାଇ ରଚିଥିଲେ ଗଣଦୁଷ୍କର୍ମ ନାଟକ । ଧରମଭଉଣୀ ଓ ମାଆଙ୍କୁ କରିଥିଲେ ମୋହରା ।ସୂଚନା ଅନୁସାରେ, ବାରିପଦା ଜେଲ୍ରେ ଥିବା ୨ ବନ୍ଦୀ ଏହି ନାଟକ ପଛର ମାଷ୍ଟରମାଇଣ୍ଡ । ୨ଟି ଭିନ୍ନ ମାମଲାରେ ଗିରଫ ହୋଇ ବାରିପଦା ଜେଲ୍ରେ ଅଛନ୍ତି କପ୍ତିପଦା ଅଞ୍ଚଳନର ନାନା ସାଏ ଓ ଶରତ ଅଞ୍ଚଳର ଶ୍ୟାମ ସୁନ୍ଦର ରଣା । ଆଉ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହେଉଛନ୍ତି ଶ୍ୟାମ ସୁନ୍ଦରଙ୍କ ଧରମ ଭଉଣୀ । ଶ୍ୟାମଙ୍କ କଥାରେ ମାଆଝିଅ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ନାଟକ ରଚିଥିଲେ ।














