କେନ୍ଦ୍ର ସରକାର ଜିଏସଟି କମାଇବା ପରେ, ଏବେ ସମସ୍ତ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖା ହେବ । ପ୍ୟାକିଂ ହୋଇଥିବା କିମ୍ବା ପୂର୍ବରୁ କିଣା ଥିବା ସାମଗ୍ରୀ ମଧ୍ୟ ଏଥିରେ ଆସିବ। ଏହି ସମ୍ପର୍କରେ କେନ୍ଦ୍ରୀୟ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ, ଓଡିଶା ସହ, ଚିଠି ଲେଖାଯାଇଛି। ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ସୂଚନା ଦେଇଛନ୍ତି। ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରଧାନମନ୍ତ୍ରୀ ଦୀପାବଳି ପୂର୍ବରୁ ଖୁସିଖବର ଦେବେ ବୋଲି କହିଥିଲେ। କିନ୍ତୁ ଦଶହରା ପୂର୍ବରୁ ମଧ୍ୟ ଦେଶ ପାଇଲା ଏକ ବଡ଼ ଖୁସି ଖବର । ୫୬ତମ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ଯେ,ଜିଏସଟିରୁ ଉଠାଇ ଦିଆଯାଇଛି ୧୨ ଓ ୨୮ ପ୍ରତିଶତ ସ୍ଲାବ୍। ଏବେ ସାରାଦେଶରେ ଲାଗୁ ହେବ ୫ ଓ ୧୮ ପ୍ରତିଶତ ସ୍ଲାବ୍ । ଏହା ୨୨ ତାରିଖରୁ ଲାଗୁ ହେବ ।













