ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସୁରକ୍ଷା ଏଜେନ୍ସିଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ନେପାଳ ମାର୍ଗରେ ବିହାରକୁ ପ୍ରବେଶ କରିଥିବା ଜଣାପଡିଛି । ସେମାନେ ହେଲେ ବାହାବଲପୁରର ମହମ୍ମଦ ଉସମାନ, ଉମରକୋଟର ଆଦିଲ ହୁସେନ ଓ ରାୱଲପିଣ୍ଡିର ହସନୈନ ଅଲି ଅୱାନ । ପୋଲିସ ମୁଖ୍ୟାଳୟ ସମସ୍ତ ଜିଲ୍ଲାକୁ ତାଙ୍କ ନାମ ଓ ଫଟୋ ସେୟାର କରି ହାଇଆଲର୍ଟ ଜାରି କରିଛି ।
ନେପାଳ ସୀମା ସହ ଲାଗିଥିବା ବିହାରର ଆରାରିଆ, କିଶନଗଞ୍ଜ, ସୁପୌଲ, ମଧୁବନୀ, ସୀତାମଢ଼ି, ପୂର୍ବ ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ ସକ୍ରିୟ
ରଖାଯାଇଛି ଓ ହାଇ ଆଲର୍ଟ ଜାରି କରା ଯାଇଛି। ମୁଖ୍ୟାଳୟର ନିର୍ଦ୍ଦେଶରେ ସେଠାରେ ସ୍ଥାନୀୟ ଗୁଇନ୍ଦା ବ୍ୟବସ୍ଥା ସକ୍ରିୟ କରାଯାଇଛି । ପୂର୍ଣ୍ଣିଆ ରେଞ୍ଜ ଡିଆଇଜି ପ୍ରମୋଦ କୁମାର ମଣ୍ଡଳ କହିଛନ୍ତି, ନେପାଳ ମାର୍ଗରେ ୩ ଜଣ ପାକିସ୍ତାନୀ ସନ୍ଦିଗ୍ଧଙ୍କ ପ୍ରବେଶ ସୂଚନା ମିଳିଥିବାରୁ ସମସ୍ତ ଜିଲ୍ଲାରେ ସତର୍କତା ଜାରି କରାଯାଇଛି ।ପୂର୍ବରୁ ମଧ୍ୟ ନେପାଳ ସୀମାରୁ ପାକିସ୍ତାନୀ ଏବଂ ପାକ୍ ସମର୍ଥିତ ସନ୍ଦିଗ୍ଧ ଆତଙ୍କବାଦୀମାନେ ବିହାରରେ ପ୍ରବେଶ କରିଥିବା ଘଟଣା ଘଟିଛି । ଗତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ମୋତିହାରୀ ପୋଲିସ ନେପାଳ ସୀମା ନିକଟ ଭାଗଲପୁରର ବରହପୁରାର ବାସିନ୍ଦା ନଜରେ ସଦ୍ଦାମଙ୍କୁ ନକଲି ଟଙ୍କା ସହିତ ଗିରଫ କରିଥିଲା। ତାଙ୍କର ଏକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କ ଥିଲା ।














