ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ମାସର ଶେଷ ଦିନ । ବଡି ଭୋରରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିଛନ୍ତି । ବିଶେଷକରି ବିନ୍ଦୁ ସାଗରରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଛନ୍ତି । କଦଳୀ ପଟୁଆ ନିର୍ମିତ ଡଙ୍ଗାରେ ପାନଗୁଆ, ଭୋଗ, ଧୁପ, ଦୀପ ଇତ୍ୟାଦି ଦେଇ ‘ଆ କା ମା ବୈ… ପାନ ଗୁଆ ଥୋଇ… ପାନ ଗୁଆ ତୋର…. ମାସକ ଧର୍ମ ମୋର…’ ଗୀତ ଗାଇ ଡଙ୍ଗା ଭସାଇଛନ୍ତି ।
ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ସ୍ନାନ ସାରି ଦେବ ଦର୍ଶନ କଲେ ସମସ୍ତ ପାପ ନାଶ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଧାଡି ବାନ୍ଧି ସୁରୁକ୍ଷୁରରେ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ ।
ସେପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ବେଶର ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ଜମିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।