କଟକ ମଧୂପାଟଣା ଥାନା ଶ୍ରୀରାମନଗରରେ ଅଭାବନୀୟ ଘଟଣା । ଘର ଭିତରୁ ମିଳିଲା ସାବତ ମା’ ଓ ପୁଅର ମୃତଦେହ । ଦୁଇ ବର୍ଷର ଛୁଆର ତଣ୍ଟି କାଟି ମାରିଲା ସାବତ ମା’ । ଛୁଆକୁ ମାରିବା ପରେ ମା’ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ସାଲେପୁରରେ କାର୍ଯ୍ୟ କରୁଥିବା ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ବୋଲି ଜଣାପଡିଛି ।
ସନ୍ତୋଷ ଖୁଣ୍ଟିଆଙ୍କ ପ୍ରଥମ ସ୍ତ୍ରୀ ମରିଯିବା ପରେ ସେ ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ କୋଳରୁ ଜନ୍ମ ହୋଇଥିବା ପୁଅ ମଧ୍ୟ ଦ୍ବିତୀୟ ପତ୍ନୀଙ୍କ ପାଖରେ ରହୁଥିଲା । ତେବେ ବିବାହ ପରେ ଉଭୟ ସ୍ବାମୀ – ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ସ୍ବାମୀ ଚାହୁଁଥିଲେ, ତାଙ୍କ ସ୍ତ୍ରୀ ଗାଁରେ ରୁହନ୍ତୁ । ମାତ୍ର ବାହାରେ ଘରଭଡା ନେଇ ରହିବାକୁ ଚାହୁଁଥିଲେ ଦ୍ବିତୀୟ ପତ୍ନୀ । ବାହାଘରର କିଛିଦିନ ପରେ ସ୍ବାମୀ ଚାକିରୀ ଛାଡିଦେବା ପରେ ପାରିବାରିକ କଳହ ବଢିଥିଲା । ଶେଷରେ ପାରିବାରିକ କଳହର ଶେଷ ପରିଣତି ହେଲା, ଛୋଟଛୁଆକୁ ମାରି ନିଜେ ଆତ୍ମହତ୍ୟା କରିଦେଲା ସାବତ ମା ।
ଏହି ଘଟଣାରେ ଝିଅର ପରିବାର ଲୋକେ ସ୍ବାମୀକୁ ଦାୟୀ କରୁଥିବା ବେଳେ ସ୍ବାମୀଙ୍କ ପରିବାର ଦ୍ବିତୀୟ ସ୍ତ୍ରୀଙ୍କ ପରିବାରକୁ ଦାୟୀ କରୁଛନ୍ତି । ବାହାଘର ପରେ ସନ୍ତୋଷଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ମାଆ ଓ ବଡ ଭଉଣୀ ସବୁ ବେଳେ ହସ୍ତକ୍ଷେପ କରୁଥିଲେ ବୋଲି କହିଛନ୍ତି ସନ୍ତୋଷ ।