ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନରୁ ଅଧିକ ସମୟ ଅତିବାହିତ କରିବା ପରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରିଛନ୍ତି । ସେ ଆକ୍ସିଅମ୍-୪ ମିସନର ଅଂଶ ଭାବରେ ତାଙ୍କର ତିନିଜଣ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହିତ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ “ଗ୍ରେସ୍” ଯୋଗେ ଫେରିଛନ୍ତି ।
ଶୁଭାଂଶୁ ଏବଂ ତାଙ୍କ ଟିମ୍କୁ ବହନ କରୁଥିବା କ୍ୟାପସୁଲ୍ଟି ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନରେ କାଲିଫର୍ଣ୍ଣିଆ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କଲା । ତେବେ ତାଙ୍କ ପରିବାର ଓ ଦେଶବାସୀଙ୍କ ନିକଟରେ ସେ ପହଞ୍ଚିବାକୁ ଆହୁରି କିଛି ସମୟ ଲାଗିବ । ସ୍ପ୍ଲାଶଡାଉନ୍ ପରେ, ଉଦ୍ଧାରକାରୀ ଦଳ ସେମାନଙ୍କୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରକୁ ଆଣିବେ ।
ପହଞ୍ଚିବା ପରେ ଶୁଭାଂଶୁ ଏବଂ ତାଙ୍କ ସାଥୀମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ଏବଂ ସେମାନେ ପୃଥିବୀର ମାଧ୍ୟାକର୍ଷଣ ସହିତ ପୁଣି ଥରେ ଅଭ୍ୟସ୍ତ ହେବା ପାଇଁ ଏକ ସାତ ଦିନିଆ ପୁନର୍ବାସରେ ରହିବେ ।













