ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ଠକେଇ ମାମଲା । ଅଙ୍କିତଙ୍କ ନାମରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ରୁଜୁ ହୋଇଛି । ଅଭିଯୋଗକାରୀ କଟକ ସହର ଚଣ୍ଡୀ ଛକରେ ଥିବା ଏସ୍ଏସ୍ବି ଇଲେକ୍ଟ୍ରିକାଲ୍ସର ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ଏତଲା କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଅଙ୍କିତ ପ୍ରତାପ ଜେନା ଏବଂ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡରୁ କେନ୍ଦ୍ରାପଡ଼ାରେ ବିଦ୍ୟୁତ୍ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ । ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି । ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି । ଟଙ୍କା ନ ମିଳିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି । ତେଣୁ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି । ଅପରପକ୍ଷରେ ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ଫୋରିଆରର ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁ ତାଙ୍କ କମ୍ପାନୀ ଅଧୀନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ । ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କମ୍ପାନୀର ବହୁ କ୍ଷତି ଘଟିଛି । ତେଣୁ ଦେବାଶିଷଙ୍କ ଅଭିଯୋଗକୁ ଭିତ୍ତିକରି ଅରୋବିନ୍ଦ ଓ ଗଣେଶଙ୍କ ବିରୋଧରେ ଅନ୍ୟଏକ ମାମଲା ମଧ୍ୟ ରୁଜୁ ହୋଇଛି। ଉଭୟ ମାମଲାର ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛନ୍ତି।














