ଡିସେମ୍ବର 26 । ବିଜେଡିର ପ୍ରତିଷ୍ଠା ଦିବସ । ଚବିଶବର୍ଷ ପରେ ବିଜେଡି କ୍ଷମତା ବାହାରେ ରହି ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ତେବେ କ୍ଷମତାରୁ ଯିବା ପରେ ଦଳ ପାଳନ କରିବାକୁ ଯାଉଥିବା ପ୍ରତିଷ୍ଠା ଦିବସ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଗୁରୁତ୍ବ ବହନ କରିବାକୁ ଯାଉଥିବା ସୂଚନା ମିଳିଛି । ଆକସ୍ମିକ ଭାବେ ବିଜେଡି ସରକାରର ପତନ ଘଟିବା ଏବଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ନବୀନ ପଟ୍ଟନାୟକ ଗୋଟିଏ ବିଧାନସଭା ଆସନରେ ପରାଜୟ ବରଣ କରିବାକୁ ଦଳୀୟ ନେତା ଓ କର୍ମୀ ଯଦିଓ ସହଜରେ ଗ୍ରହଣ କରିପାରିଲେନି, କିନ୍ତୁ ବିପର୍ଯ୍ୟୟର କାରଣ ଭାବେ ପାଣ୍ଡିୟାନଙ୍କୁ ସମସ୍ତେ ଦାୟୀ କଲେ । ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କରିଥିବା ଘୋଷଣା ଅନୁଯାୟୀ ପାଣ୍ଡିୟାନ ଗତ ଛ ମାସ ଧରି ନିରବ ରହିଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରତିଷ୍ଠା ଦିବସରୁ ବିଜେଡି ତାର ଷ୍ଟ୍ରାଟେଜୀ ବଦଳାଇବାକୁ ଯାଉଛି । ବିରୋଧୀ ଦଳ ଭାବେ ଆକ୍ରମଣାତ୍ମକ ଭୂମିକା ନିର୍ବାହ କରିବ ଦଳ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନିର୍ବାଚନରେ ପରାଜୟ ବରଣ କରିବା ପରଠାରୁ ବିଜେଡିରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଶମିତ କରି ଦଳ ପୁଣି ବଳ ଗୋଟାଇବା ଆରମ୍ଭ କରୁଛି । ଆସନ୍ତାକାଲି ଏ ସଂକ୍ରାନ୍ତରେ କିଛି ଚୂଡାନ୍ତ ଘୋଷଣା ହେବାର ସମ୍ଭାବନା ରହିଛି ।