ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ନେଇ ଅଶାଳୀନ ଟିପ୍ପଣୀକୁ କେନ୍ଦ୍ର କରି ଏନଡିଏ ତୀବ୍ର ପ୍ରତିବାଦ କରିଛି । ଏହି ପ୍ରସଙ୍ଗରେ ସେପ୍ଟେମ୍ବର ୪ରେ ସକାଳ ୭ଟାରୁ ଦୁଇପହର ୧୨ଟା ପର୍ଯ୍ୟନ୍ତ ବିହାର ବନ୍ଦ ଡାକିଛନ୍ତି । ପାଟନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷିତ ହୋଇଛି। ଏନଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବନ୍ଦ ସମୟରେ ଜରୁରୀ ସେବାଗୁଡିକରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ବନ୍ଦଟି ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଭାବେ ପାଳିତ ହେବ। ବିଜେପିର ରାଜ୍ୟ ସଭାପତି ଦିଲୀପ ଜୟସୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅପମାନିତ କରାଯାଇଥିବାରୁ କୋଟି -କୋଟି ଲୋକଙ୍କ ଭାବନାକୁ ଆଘାତ ଲାଗିଛି। ଏହି କାରଣରୁ ଏନଡିଏର ସମସ୍ତ ସାଥୀ ଏହି ଅଶୋଭନୀୟ ବକ୍ତବ୍ୟର ବିରୋଧ କରିବେ।

ଘୋଷଣା ଅନୁସାରେ ବନ୍ଦ ନେତୃତ୍ବ ବିଜେପି ମହିଳା ମୋର୍ଚ୍ଚାକୁ ଦିଆଯାଇଛି। ସେମାନଙ୍କ କର୍ମୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦରେ ଅଗ୍ରସର ହେବେ। ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଏନଡିଏ ସହଯୋଗୀ ଦଳର ରାଜ୍ୟ ସଭାପତିମାନେ ଉପସ୍ଥିତ ରହି, ଏକତାର ସନ୍ଦେଶ ଦେଇଥିଲେ ଏବଂ ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲେ। ଏହାସହିତ, ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମା’ଙ୍କୁ ନେଇ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବ୍ୟକ୍ତି ଙ୍କୁ ପୁଲିସ ୨୭ଅଗଷ୍ଟରେ ଗିରଫ କରିଥିଲା। ସେହି ରାଲି ସମୟରେ ରାହୁଲ ଗାନ୍ଧୀ କିମ୍ବା ତେଜସ୍ବୀ ଯାଦବ ମଞ୍ଚରେ ନଥିଲେ। ଜାଣି ଶୁଣି ବିରୋଧୀ ଏଭଳି କରିଥିବା ଦାବି କରିଥିଲା ବିଜେପି । ବାରମ୍ବାର ବିରୋଧୀ ଏଭଳି ବ୍ୟକ୍ତିଗତ ଆକ୍ରମଣ କରୁଥିବା ଦେଖି ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉଚିତ୍ ଜବାବ ଦେଇଥିଲେ। ବିହାରରେ ଆ‌ୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଭିଡିଓ କନଫରରେନ୍ସଂ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ମା’ ହେଉଛନ୍ତି ଆମର ସଂସ୍କାର, ମା’ ହେଉଛନ୍ତି ଆମର ବିଶ୍ବ। ବିହାରରେ ଯାହା ଘଟିଛି, ସେଥିପାଇଁ କେହି ଏମତି ଭାବିଥିବେ ବୋଲି ମୁଁ ବିଶ୍ବାସ କରେନି।”

ସେ କହିଥିଲେ ଯେ, ତାଙ୍କ ମା’ର ରାଜନୀତି ସହ କୌଣସି ସମ୍ପର୍କ ନଥିଲା, କିନ୍ତୁ ତଥାପି ତାଙ୍କୁ ଅପମାନ କରାଯାଇଛି। ମୋଦୀଙ୍କ କଥାରେ, “ରାଜପରିବାରରେ ଜନ୍ମିତ ଲୋକମାନେ ଅବହେଳିତ ମା’ ଏବଂ ତାଙ୍କ ପୁଅର ସଂଘର୍ଷକୁ ବୁଝିପାରିବେ ନାହିଁ। ସୁନା-ରୂପାର ଚାମଚ ସହିତ ଜନ୍ମ ନେଇଥିବା ଲୋକମାନେ ଭାବୁଛନ୍ତି ବିହାରରେ ସେମାନେ ହିଁ ଶାସନ କରିବେ।” ସେ ଆହୁରି କହିଛନ୍ତି ଯେ, “ବିହାରବାସୀ ମୋତେ ଆଶୀର୍ବାଦ କରି, ଜଣେ ଅବହେଳିତ ମା’ର ପୁଅକୁ ପ୍ରଧାନ ସେବକ କରିଛନ୍ତି। ସେପାଇଁ ବିରୋଧୀମାନେ ଅସହ୍ୟତା ଦେଖାଉଛନ୍ତି। ସେମାନେ କେବେ ମୋତେ ନୀଚ, କେବେ ସାପ, ଆଉ କେବେ ‘ତୁ’ ବୋଲି ସମ୍ବୋଧନ କରୁଛନ୍ତି।” ରାହୁଲ୍ ଗାନ୍ଧୀ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀଙ୍କୁ “ତୁ” ବୋଲି ମଧ୍ଯ କହିଥିଲେ।

LEAVE A REPLY

Please enter your comment!
Please enter your name here