କଂଗ୍ରେସର ନୂଆ ସଭାପତି ହେଲେ ଭକ୍ତ ଦାସ । ଗତ ସାଧାରଣ ନିର୍ବାଚନ ଫଳ ବାହାରିବା ପରେ କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ କମିଟି ଭାଙ୍ଗିଦେଇଥିଲେ । ଛ ମାସ ପରେ ଯେଉଁ ନେତାଙ୍କୁ ସଭାପତି କଲେ, ତାର ଫଳ କଣ ହେବ, ତାହା ଜଳ ଜଳ ଦିଶୁଛି । ଦୀର୍ଘବର୍ଷ କ୍ଷମତାରୁ ଦୂରେଇ ରହିବା ପରେ ବି କଂଗ୍ରେସର ଅବସ୍ଥା ସୁଧୁରିବା ପରି ଲାଗୁନି । ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ପରେ ସଭାପତି ହେବା ପାଇଁ ଆଶାୟୀ ଦୌଡରେ ଥିବା ନେତାଙ୍କୁ ନିରାଶ ହେବାକୁ ପଡିଛି । ସତ କହିବାକୁ ଗଲେ ଗତ ନିର୍ବାଚନ ସମୟରେ କଂଗ୍ରେସ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା । ଏକଦା ଶରତ ପଟ୍ଟନାୟକ ସାଂସଦ ଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ରାଜନୀତିରେ ସେ ସକ୍ରୀୟ ନ ଥିଲେ କି ପ୍ରଭାବ ନ ଥିଲା । ନା ସେ ନିଜେ ନିର୍ବାଚନ ଜିତିପାରିଲେ ଅଥବା କାହାକୁ ଜିତାଇବାର କ୍ଷମତା ତାଙ୍କର ଥିଲା ? ଏହାସତ୍ତ୍ବେ ଏଆଇସିସିରେ ତାଙ୍କର ସଂପର୍କ ଓ ପ୍ରଭାବକୁ ନେଇ ସେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ । ଏବେ ଭକ୍ତ ଦାସଙ୍କ ଅବସ୍ଥା ବି ସେଇୟା । ଏକଦା ସେ କଳାହାଣ୍ଡି ରାଜନୀତିରେ ପ୍ରଭାବଶାଳୀ ଥିଲେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ସେ ମନ୍ତ୍ରୀ ଥିଲେ । ମାତ୍ର ଏବେ ସେ ପ୍ରଭାବଶୂନ୍ୟ ମନେ ହେଉଛନ୍ତି । କିନ୍ତୁ କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ପିସିସି ସଭାପତି ଆସନରେ ବସାଇଲେ । ପ୍ରଶ୍ନ ଉଠୁଛି, କଂଗ୍ରେସରେ ପ୍ରଭାବଶାଳୀ ନେତା କିଏ, ଯିଏ ଦଳର ନେତୃତ୍ବ ନେଇପାରିବେ ? ରାଜନୀତି ସମାଲୋଚକଙ୍କ ମତରେ ପ୍ରତିକୂଳ ପରିସ୍ଥିତିରେ ନିଜର ନେତୃତ୍ବ ଓ ପ୍ରଭାବ ବଳରେ ନିର୍ବାଚନ ଜିତି ଆସୁଥିବା କଂଗ୍ରେସ ନେତାମାନଙ୍କୁ କେନ୍ଦ୍ରୀୟ ନେତୃତ୍ବ ଲଗାତାର ଭାବେ ଅଣଦେଖା କରି ଆସୁଛି । ଯାହାର ଫଳ କଂଗ୍ରେସକୁ ଭୋଗିବାକୁ ପଡୁଛି । ହାରିଥିବା ନେତା ଓ ପ୍ରଭାବଶୂନ୍ୟ ନେତାଙ୍କୁ ନେତୃତ୍ବ ନେବାକୁ ଆଗକୁ ଛାଡୁଛି । ଏଥିରେ କିଛି ନୂଆ ସମ୍ଭାବନା ସୃଷ୍ଟି ହେବାର ସମ୍ଭାବନା ନାହିଁ । ନୂଆ ପୀଢିକୁ ଆଗକୁ ନ ଛାଡି କଂଗ୍ରେସ ସେଇ ପୁରୁଣା ନେତାଙ୍କ ମୋହରେ ପଡିଛି ।

LEAVE A REPLY

Please enter your comment!
Please enter your name here