ନେପାଳର ରାଜଧାନୀ କାଠମାଣ୍ଡୁର ରାଜରାସ୍ତାରେ ଆଜି ତୀବ୍ର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଜେନ-ଜେଡ ଯୁବକ ଓ ଯୁବତୀ ସଡକକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀ ନେପାଳର ସଂସଦ ଭିତରକୁ ପଶିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଓ ପାଣି ମାଡ କରିବାକୁ ପଡିଛି ।ଏହି ପ୍ରଦର୍ଶନକାରୀ ନେପାଳରେ ସୋସିଆଲ ମିଡିଆ ବ୍ୟାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।
ଏହାକୁ ଦୃଷ୍ଟିରେ କାଠମାଣ୍ଡୁରେ କର୍ଫ୍ୟୁ ଲଗାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିକ୍ଷୋଭକାରୀ ସଂସଦର ଗେଟ୍ ନମ୍ବର-୨ ନିକଟରେ ନିଆଁ ଲଗାଇ ଦେଇଛନ୍ତି । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହା ଅନୁସାରେ ଚାରି ଜିଲ୍ଲାରେ କୌଣସି ପ୍ରକାରର ପ୍ରବେଶ କିମ୍ବା ବାହାରକୁ ଯିବା ମନା । ସଭା ସମିତି, ଶୋଭାଯାତ୍ରା, ପ୍ରଦର୍ଶନ, ବୈଠକ କିମ୍ବା ଘେରବାନ୍ଦୀ ଉପରେ କଟକଣା ଲଗାଯାଇଛି । ବିରୋଧ ପ୍ରଦର୍ଶନ ସମୟରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । କାଠମାଣ୍ଡୁରେ ଜେନ-ଜେଡ ବିରୋଧର ଉଗ୍ର ରୂପ ପରେ ନେପାଳୀ ସେନାକୁ ମୁତୟନ କରିବାକୁ ଆଦେଶ ଦିଆଯାଇଛି । ନେପାଳ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡକାଇଛନ୍ତି । ପୋଲିସ ସୋମବାର ରାତି ୧୦ଟା ଫର୍ଯ୍ୟନ୍ତ କର୍ଫ୍ୟୂ ଲାଗୁ କରିଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାର ବିରୋଧରେ ଦେଶର ବିଭିନ୍ନ ସହରରେ ବିକ୍ଷୋଭ ହେଉଛି । ହ୍ଵାଟ୍ସଆପ୍, ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏକ୍ସ, ଲିଙ୍କଡଇନ୍, ସ୍ନାପଚାଟ ଭଳି ୨୬ଟି ଆସେସ୍ ନେପାଳରେ ବ୍ଲକ୍ କରି ଦିଆଯାଇଛି । ସରକାର ଦେଇଥିବା ୭ ଦିନ ସମୟ ସୀମା ଭିତରେ ଏଭଳି ୨୬ଟି କମ୍ପାନୀ ପଞ୍ଜୀକରଣ କରି ନପାରିବାରୁ ଏ ସବୁର ବ୍ୟବହାରକୁ ନେପାଳରେ ନିଷିଦ୍ଧ କରାଯାଇଛି ।














