ଖୋଲା ବଜାରରେ ଖୁଲମଖୁଲା ଏସିଡ ବିକ୍ରୀ ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିଥିବା ସତ୍ତ୍ୱେ ଅନଲାଇନରେ ସହଜରେ ମିଳିପାରୁଛି ଏସିଡ । ଦିଲ୍ଲୀରେ ୧୭ ବର୍ଷର ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଆକ୍ରମଣ ପରେ ଦିଲ୍ଲୀ ମହିଳା କମିଶନର ଏସିଡ୍ ବିକ୍ରୀ କରୁଥିବା ଫ୍ଲିପକାର୍ଟ ଓ ଆମାଜନକୁ ନୋଟିସ ଜାରି କରିଛନ୍ତି । ଆମାଜନ ଓ ଫ୍ଲିପକାର୍ଟରେ ଏସିଡ ସହଜରେ ଉପଲବ୍ଧ ହୋଇପାରୁଥିବାରୁ ଏସିଡ ଆକ୍ରମଣ ଭଳି ଅପରାଧ ବଢିବାରେ ଲାଗିଛି । ଦିଲ୍ଲୀ ଏସିଡ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ୩ ଯୁବକ ସ୍ୱୀକାର କରିଛନ୍ତି ଯେ , ସେମାନେ ଅନଲାଇନ୍ରେ ଏସିଡ୍ କିଣିଥିଲେ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଫ୍ଲିପକାର୍ଟରୁ ଏସିଡ କିଣି ଇ-ୱାଲେଟରେ ଟଙ୍କା ପେମେଣ୍ଟ କରିଥିଲା । ଦିଲ୍ଲୀ ମହିଳା କମିଶନର କହିଛନ୍ତି, ପନି ପରିବା ଭଳି ଏସିଡ ମଧ୍ୟ ଖୋଲାବଜାରରେ ମିଳୁଛି । ଏସିଡ ବିକ୍ରୀ ବ୍ୟାନ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବିକ୍ରୀ ଉପରେ କଟକଣା ଲାଗିପାରିନାହିଁ । ସୂଚନାଯୋଗ୍ୟ-୨୦୧୩ରେ ସୁପ୍ରିମକୋର୍ଟ ଏସିଡ ଆକ୍ରମଣ ଭଳି ଅପରାଧ ରୋକିବା ପାଇଁ ଖୋଲା ବଜାରରେ ଏସିଡ ବିକ୍ରୀ ଉପରେ କଟକଣା ଜାରି କରିବା ସହ କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବିକ୍ରୀ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।