ବାତ୍ୟା ଦାନା ମୁକାବିଲାରେ ଆମେ ସଫଳ ହୋଇଛୁ । ଆମ ଲକ୍ଷ୍ୟ ଥିଲା ଜିରୋ କାଜୁଆଲଟି । ଲକ୍ଷ୍ୟ ହାସଲ ପାଇଁଆମେ ଦଳଗତ ଭାବେ କାମ କରିବା ଯୋଗୁ ସଫଳ ହୋଇପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଗତକାଲି ମଧ୍ୟରାତିରେ ବାତ୍ୟା ଦାନା ଭିତରକନିକାରେ ଲ୍ୟାଣ୍ଡଫଲ୍ କରିଥିଲା । ଏହାର ପ୍ରଭାବରେ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା । ତେବେ ଲ୍ୟାଣ୍ଡଫଲ୍ ସମୟରେ ଜିରୋ କାଜୁଆଲଟି ସମସ୍ତଙ୍କୁ ଆଶ୍ବସ୍ତି ଆଣିଦେଇଛି । ବାତ୍ୟା ମୁକାବିଲା ପାଇଁ ପୁରା ଟିମ୍ ସଜାଗ ରହି କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳଗତ ଭାବେ ବାତ୍ୟା ସୁପରିଚାଳନା ଯୋଗୁ ଆମକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅପରାହ୍ନ ସୁଦ୍ଧା ଗଛଭାଙ୍ଗି ରାସ୍ତା ଅବରୋଧ ହଟାଇବା ଏବଂ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବାତ୍ୟା ଦାନା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ବିପଦସଂକୁଳ ଅଞ୍ଚଳରୁ ସରକାର 6 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲଗୃହରେ ଲୋକଙ୍କୁ ଆଣି ରଖିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଅନେକ ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି ଓ ବୃଦ୍ଧ ବୃଦ୍ଧା ମଧ୍ୟ ସ୍ଥାନାନ୍ତର ହୋଇଥିଲେ । ତେବେ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରୟ ନେଇଥିବା ବେଳେ ଗତକାଲି 1600 ଶିଶୁ ଜନ୍ମ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି ।