କର୍ଣ୍ଣାଟକ ପରେ ଓଡିଶାରେ ଜାଲ୍ ଗୁଇନ୍ଦା ରିପୋର୍ଟ ଆଧାରରେ ବିଜେପି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ବିଜେପିର ଏହି ଚାଲ୍ କାମ ଦେବନାହିଁ ଏବଂ ଏହା ବିରୋଧରେ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବିଜେପି ନକଲି ଗୁଇନ୍ଦା ରିପୋର୍ଟ ବନାଇଛି ବୋଲି ଅଭିଯୋଗ କରି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି ଯେ,ଏଭଳି ରିପୋର୍ଟର କୌଣସି ସତ୍ୟାସତ୍ୟ ନାହିଁ । ଗତକାଲି ବିଜେପି ଦେଖାଇଥିବା ରିପୋର୍ଟରେ ଓଡ଼ିଶା ପୁଲିସର ସିଲ୍ ରହିଛି । ଏକ ଦସ୍ତଖତ ରହିଛି ଯେଉଁଥିରେ କୁହାଯାଇଛି-ଗଂଜାମ ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିତିଭୂମିର ବିକାଶ ହୋଇପାରି ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏଠୁ ଲଢ଼ିବା ଉଚିତ ନୁହେଁ । ଡିଜି ପୁଲିସ୍ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି ବୋଲି ଘୋଷଣା କରିଥିଲେ । ଏକ ମିଛ ଦସ୍ତାବିଜ ଆଧାରରେ ରାଜନୈତିକ ଦଳ ପକ୍ଷରୁ ଏହିଭଳି ପ୍ରଚାର କରାଯାଉଛି ବୋଲି ଡିଜି ପୁଲିସ୍ କହିଥିଲେ । ଗୋଟିଏ ମିଛ ଦସ୍ତାବିଜକୁ ପ୍ରେସ କନଫରେନ୍ସରେ ରଖାଯାଇଛି ଯେଉଁଥିରେ ସତ୍ୟତା ନାହିଁ ବୋଲି ଡିଜି କହିଥିଲେ । ଉଲ୍ଲେଖ ଥାଉ କି, ବିଜେପି ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠିକୁ ପ୍ରଦର୍ଶନ କରାଯାଇଥିଲା । ଏହାର କିଛି ସମୟରେ ପୁଲିସ୍ ଡିଜି ଟ୍ବିଟ୍ କରି ଚିଠିକୁ ନକଲି ଦର୍ଶାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ତେବେ ଏହି ଚିଠିକୁ ନକଲି କହି ବିଜେଡି ବି ପ୍ରତିବାଦ ଜଣାଇଛି।

LEAVE A REPLY

Please enter your comment!
Please enter your name here