ବିଦ୍ୟାଳୟରେ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଡିପିସିଙ୍କୁ ଚିଠି ଲେଖିଛନ୍ତି ।
କର୍ମସ୍ଥଳୀରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅଧିନରେ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ ଏବଂ ପୁନଃଗଠନର ସମୀକ୍ଷା କରିବେ । ଏହା ସହିତ, ସମସ୍ତ ଛାତ୍ରଛାତ୍ରୀ ଏବଂ ବିଶେଷକରି ଛାତ୍ରୀମାନଙ୍କ ଶାରୀରିକ, ମାନସିକ ଏବଂ ସାମାଜିକ-ଭାବପ୍ରବଣ ସୁସ୍ଥତା ପାଇଁ ବିଦ୍ୟାଳୟଗୁଡ଼ିକରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ସକାରାତ୍ମକ ଲିଙ୍ଗ ମନୋଭାବ ଏବଂ ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ଲିଙ୍ଗ-ଭିତ୍ତିକ ହିଂସାକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମକୁ ରାଜ୍ୟର ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ଅଧ୍ୟୟନ ପାଠ୍ୟକ୍ରମ ସହିତ ସମନ୍ୱୟ କରି କଡ଼ାକଡ଼ି ଅନୁସରଣ କରାବାକୁ ତାଗିଦ କରାଯାଇଛି ।
ସମସ୍ତ କର୍ମକ୍ଷେତ୍ର, ବିଦ୍ୟାଳୟ ଏବଂ ଆବାସିକ ଛାତ୍ରାବାସର ପ୍ରମୁଖ ସ୍ଥାନରେ ହେଲ୍ପଲାଇନ୍ ନମ୍ବରଗୁଡ଼ିକୁ ସ୍ପଷ୍ଟଭାବରେ ଲେଖିବାକୁ ନିର୍ଦ୍ଦେସ ରହିଛି ।
୧. ମହିଳା ହେଲ୍ପଲାଇନ୍-୧୮୧
୨. ଶିଶୁ ସହାୟତା କେନ୍ଦ୍ର-୧୦୯୮
୩. ପୋଲିସ ହେଲ୍ପଲାଇନ୍ -୧୧୨
୪. ସ୍କୁଲ ଛାତ୍ର ହେଲ୍ପଲାଇନ୍ -୧୮୦୦୩୪୫୬୭୨୨













