ବିହାର ମାଟିରୁ ମୋଦିଙ୍କ ବଡ଼ ବୟାନ । ବିହାରରେ ନିଆ ଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ । ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନାମୁଖ୍ୟ ଅସୀମ ମୁନିରଙ୍କୁ କଡ଼ା ବର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି କହିଛନ୍ତି, “ଯେତେବେଳେ କୌଣସି ଶତ୍ରୁ ଭାରତକୁ ଚ୍ୟାଲେଞ୍ଜ କରିଛି, ବିହାର ଦେଶ ପାଇଁ ଢାଲ ହୋଇ ଠିଆ ହୋଇଛି। ବିହାର ମାଟିରେ ନିଆଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଆମକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଅପରେସନ୍ ସିନ୍ଦୂର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ରେଖା ଟାଣିଛି । ଭାରତରେ ଆତଙ୍କବାଦୀମାନଙ୍କୁ ପଠାଇ ଆକ୍ରମଣ କରିବା ପରେ କେହି ଖସି ଯାଇପାରିବେ ନାହିଁ । ଆତଙ୍କବାଦୀମାନେ ପାତାଳରେ ଲୁଚି ରହିଲେ ବି ଭାରତ କ୍ଷେପଣାସ୍ତ୍ର ସେମାନଙ୍କୁ କବର ଦେବ’ । ସେହିପରି ବିହାରକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ୧୨ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ଏଥିସହ ବୁଧଗୟାରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ଜରିଆରେ ଦୁଇଟି ଟ୍ରେନର ଶୁଭାରମ୍ଭ କରିଛନ୍ତି ମୋଦି । ଗୟା-ଦିଲ୍ଲୀ ଅମ୍ରିତ ଭାରତ ଏକ୍ସପ୍ରେସ ଏବଂ ବୈଶାଳୀ ଏବଂ କୋଡେର୍ମା ମଧ୍ୟରେ ବୁଦ୍ଧିଷ୍ଟ ସର୍କିଟ ଟ୍ରେନର ଶୁଭାରମ୍ଭ । ଏହି ଦୁଇଟି ଟ୍ରେନରେ ଯାତ୍ରୀଙ୍କ ପାଇଁ ରହିଛି ଅନେକ ଅତ୍ୟାଧୁନିକ ସୁବିଧା ।ଏହି ଅବସରରେ ଗୃହ ପ୍ରବେଶ ପାଇଁ ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ଗରିବଙ୍କୁ ପକ୍କା ଘର ଦେବା ମୋର ସଂକଳ୍ପ । ଗତ ୧୧ ବର୍ଷରେ ଆମେ ୪ କୋଟିରୁ ଅଧିକ ବାସହୀନଙ୍କୁ ଘର ଦେଇଛୁ । ଆମେ ଖାଲି ଘର ଦେଇନୁ, ଘର ସହ ବିଜୁଳି, ପାଣି ଆଦି ସୁବିଧା ଦେଇଛୁ । ପ୍ରତ୍ୟେକ ଗରିବଙ୍କୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ପିଏମ୍ ଆବାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।














