ଜମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ଵାଳ । ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା । ସେବେଠୁ କିସ୍ତୱାରେ ୨୦୦ରୁ ଅଧିକ ନିଖୋଜ ଥିବା ବେଳେ ଶନିବାର ଓଡ଼ିଆ ଯବାନ ମନୋଜଙ୍କ ମୃତଦେହ ମିଳିଥିଲା । ମନୋଜଙ୍କ ଦେହାନ୍ତ ଖବର ପାଇ ମାଣିକମରା ଗାଁରେ ଶୋକର ଛାୟା ଖେଳି ଯାଇଛି ।ମନୋଜ ନିୟୋଜିତ ଥିବା ଚିସୁତି ଗାଁ ପାହାଡ଼ ମନ୍ଦିରରେ ଯାତ୍ରା ଜୁଲାଇ ୨୫ରୁ ଆରମ୍ଭ ହୋଇଥିଲା । ଏହା କିସ୍ତୱାର ଜିଲ୍ଲା ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଯାତ୍ରା ସେପ୍ଟେମ୍ବର ୫ରେ ସରିବାର ଥିଲା । ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ପରେ ଏହି ଯାତ୍ରାକୁ ବନ୍ଦ କରିଦିଆ ଯାଇଛି । ଭୂସ୍ଖଳନରେ ଏବେ ସୁଦ୍ଧା ୭୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ନିଖୋଜ ଅଛନ୍ତି ।













