ଦିନେ ସବୁଆଡ ଅନ୍ଧାର ଥିଲା । ଚାହିଁଲେ ବି ପଛକୁ ଫେରିବା ସମ୍ଭବ ନଥିଲା । ଗୋଟିଏ ସମୟରେ ହାତରେ ବନ୍ଧୁକ ଓ ମୁହଁରେ କଳା କପଡା ଗୁଡାଇ ଜଙ୍ଗଲକୁ ଜଙ୍ଗଲ ଏମାନେ ଘୁରି ବୁଲୁଥିଲେ । କେତେବେଳେ ଯବାନ ଓ ପୋଲିସଙ୍କ ସହ ମୁହାଁମୁହିଁ ହେଉଥିଲେ ତ ଆଉ କେତେବେଳେ ନୀରିହ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରୁଥିଲେ । ପୋଲିସ ହୁଅନ୍ତୁ ଅବା ସାଧାରଣ ଲୋକ, ଏମାନଙ୍କ ନାଁ ଶୁଣିଲେ ଆତଙ୍କିତ ହୋଇପଡୁଥିଲେ । ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଯାଇଥିବା ଏହି ମାଓବାଦୀମାନେ ଘଟଣାକ୍ରମରେ ଦସୁ୍ୟରତ୍ନାକରରୁ ବାଲ୍ମିକୀ ପାଲଟିଯାଇଛନ୍ତି । ଏମାନେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଦୁର୍ଦ୍ଦାନ୍ତ ମାଓବାଦୀ , ଯେଉଁମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଅନ୍ୟ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବସି କଳିଙ୍ଗ ଷ୍ଟାଡିୟମରେ ଓଡିଶା ପୁରୁଷ ହକି ବିଶ୍ୱକପ ଦେଖିବାର ସବୁଠୁ ବଡ ସୁଯୋଗ ସେମାନଙ୍କୁ ମିଳିଛି । ଆଉ ସେମାନେ ମଧ୍ୟ ଏହି ଅନ୍ତର୍ଜାତୀୟ କ୍ରୀଡା ମୁହାକୁମ୍ଭକୁ ଅତି ଆନନ୍ଦର ସହ ଉପଭୋଗ କରିଥିଲେ । କେବଳ ସେତିକି ନୁହେଁ, ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଲକାନଗିରିର ଏହି ୩୦ ଜଣ ମାଓବାଦୀ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ୧୬ ଜଣ ମହିଳା ଓ ୧୪ଜଣ ପୁରୁଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଁଞ୍ଚି ମହାଦେବଙ୍କୁ ଜଳ ଓ କ୍ଷୀର ଲାଗିକରି ପୂଜାର୍ଚ୍ଚନା କରିଥିଲେ । ପରେ ସେମାନେ ପୁରୀଯାଇ ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଆନନ୍ଦବଜାରରେ ଅବଢା ଖାଇବା ସହ ବାଇଶି ପାହାଚରେ ଗଡିଥିଲେ ।

LEAVE A REPLY

Please enter your comment!
Please enter your name here