କରୋନା ମହାମାରୀ ଆଣିଦେଇଛି ଯନ୍ତ୍ରଣା । ଅନେକ ଲୋକ ତ ଏହି ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି । ତା ସହିତ ଅନେକ ଲୋକ ଜୀବିକା ହରାଇ ଧର୍ଯ୍ୟହରା ହୋଇପଡିଛନ୍ତି । ମହାମାରୀ ଭାଇରାସ ପାଇଁ କିଏ ନିଜ ଚାକିରୀ ହରାଇଛି ପୁଣି କିଏ ବିଜିନେସରେ କ୍ଷତି ସହିଛି । ଜୀବିକା ହରାଇଲେ ଜୀବନ କେମିତି ବଞ୍ଚାଇବେ ? ନିଜ ଜୀବନକୁ ବଞ୍ଚାଇବାକୁ ଏବେ ଅନେକ ଉପାୟ ଆପଣାଉଛନ୍ତି ସାଧାରଣ ଲୋକେ । ଆମେ କହୁଛୁ ବଲିଉଡରେ କ୍ୟାମେରାପର୍ସନ ଭାବେ କାମ କରୁଥିବା ଝିଅ ସୁଚିସ୍ମିତା ରାଉତରାୟଙ୍କ କଥା । ଯାହାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ସମୟ ଥିଲା ସୁଚିସ୍ମିତା ସୁପରଷ୍ଟାରଙ୍କ ସହ ମାୟାନଗରୀରେ କାମ କରୁଥିଲେ । କ୍ୟାମେରା ପର୍ସନ ଭାବେ ବଲିଉଡରେ ବେଶ୍ ଜଣାଶୁଣା ସୁଚିସ୍ମିତା । ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟଙ୍କ ସମେତ ଅନେକ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । କିନ୍ତୁ ଏବେ ସୁଚିସ୍ମିତା କଟକର ରାସ୍ତାକଡରେ ମୋମୋ, ଗୁପଚୁପ୍ ବିକ୍ରୀ କରୁଛନ୍ତି । ପେଟ ପୋଷିବାକୁ କସରତ କରୁଛନ୍ତି । ମୋମୋ ବିକ୍ରୀ କରି ଦିନକୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି ।
ଗଣମାଧ୍ୟମକୁ ପତିକ୍ରୀୟା ଦେଇ ସୂଚୀ କହିଛନ୍ତି, ପାଠ ପଢା ସରିବା ପରେ ଓଡିଆ ଇଣ୍ଡଷ୍ଟ୍ରିରେ ମୁଁ କାମ କଲି । ୨୦୧୫ରେ ମୁମ୍ବାଇ ଆସିଲି । ବଲିଉଡରେ ଧିରେ ଧିରେ ଆସିଷ୍ଟାଣ୍ଡ କ୍ୟାମେରା ପର୍ସନ ଭାବେ କାମ ଆରମ୍ଭ କଲି । ୬ ବର୍ଷ ହେବ ମୁମ୍ବାଇରେ ଆସିଷ୍ଟାଣ୍ଡ କ୍ୟାମେରା ପର୍ସନ ଭାବେ କାମ କରିଛି । ଯେତେବେଳେ ମୁଁ ପୁରା କାମ ଶିଖିଗଲି , ସେତେବେଳେ ମହାମାରୀ କରୋନା ଭାଇରସ ଘାତକ ହୋଇ ମୋ ରାସ୍ତାରେ କଣ୍ଟା ହୋଇ ଛିଡାହୋଇଗଲା । ସବୁ କିଛି ବନ୍ଦ ହୋଇଗଲା । ସବୁ ସ୍ୱପ୍ନ ଛାରକାର ହୋଇଗଲା । ସମୟ ଥିଲା ମୋ ପାଖରେ ଟଙ୍କାଟିଏ ବି ନଥିଲା । ନିଜ ଖର୍ଚ୍ଚ ନିଜେ କରିପାରୁନଥିଲି । ସୁଟିଂ ସେଟରୁ ଘରକୁ ଫେରିବାବେଳେ ପର୍ସରେ ଟଙ୍କା ଟିଏ ବି ନଥିଲା । ଅମିତାଭ ବଚ୍ଚନ, ସଲମାନ ଖାନ ମୋତେ ଓ ମୋ ଟିମକୁ ବହୁତ ସାହାର୍ଯ୍ୟ କରିଛନ୍ତି । ବହୁତ କଷ୍ଟରେ ଚାକିରୀଟିଏ ମିଳିଥିଲା ହେଲେ କରୋନା ସବୁ ସାରିଦେଲା ।
ଏବେ ସୁଚିସ୍ମିତା କଟକରେ ନିଜ ମା’ଙ୍କ ସହ ରହୁଛନ୍ତି । ବାପା ଛେଉଣ୍ଡ ସୂଚୀଙ୍କ ମୁଣ୍ଡରେ ଏବେ ପରିବାରର ବୋଝ ।