ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଉପରେ ରାହୁଲ ଗାନ୍ଧୀଙ୍କୁ ସୁରଟର ସେସନ୍ସ ଜଜ୍ ଦେଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁଜରାଟର ସୁରଟ ସେସନ୍ସ ଜଜ୍ ରାହୁଲ ଗାନ୍ଧୀଙ୍କୁ ଦୁଇବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
ଜଷ୍ଟିସ ବି. ଆର ଗୋୱାଇ, ଜଷ୍ଟିସ ପି.ଏସ୍‌ ନରସିଂହା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ସୁରଟ ସେସନ୍ସ ଜଜ୍ ଦେଇଥିବା ଦୁଇବର୍ଷର ଦଣ୍ଡାଦେଶକୁ ନେଇ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । କଣ ପାଇଁ ରାହୁଲଙ୍କୁ କୋର୍ଟ ଦୁଇବର୍ଷ ଦଣ୍ଡାଦେଶ ଦେଲେ, କଣ ପାଇଁ ଦୁଇବର୍ଷରୁ କମ୍ ହେଲା ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଯଦି ଦୁଇବର୍ଷରୁ ରାହୁଲଙ୍କୁ ଗୋଟିଏ ଦିନ କମ୍ ଦଣ୍ଡାଦେଶ ହୋଇଥାନ୍ତା, ତେବେ ରାହୁଲଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ ହୋଇ ନଥାନ୍ତା । ତେଣୁ ଏଭଳି ଦଣ୍ଡାଦେଶ ଉଦ୍ଦେଶ୍ୟମୂଳକ ବୋଲି ଅନୁଭବ କରି ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ରାହୁଲଙ୍କୁ ବଡ ଆଶ୍ବସ୍ତି ମିଳିଛି ଏବଂ ରାହୁଲ ପୁଣିଥରେ ସଂସଦର ସଦସ୍ୟତା ଫେରି ପାଇବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here