ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ । ଜାତୀୟ ଏକତା ପ୍ରତି ବିପଦ ସୃଷ୍ଟି କରୁଥିବା ସହରାଞ୍ଚଳ ନକ୍ସଲ ମେଣ୍ଟ ପ୍ରତି ସାବଧାନ ରହିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମଦିନ ଅବସରରେ ଆୟୋଜିତ ଜାତୀୟ ଏକତା ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ରାଜନୈତିକ ଦଳଗୁଡିକ ପ୍ରତି ଏଭଳି କଟାକ୍ଷ କରିଛନ୍ତି । ରାଜନୀତି ନାଁରେ ଜାତୀୟ ଏକତାକୁ ଦୁର୍ବଳ କରୁଥିବା ଶକ୍ତିଗୁଡିକ ପ୍ରତି ସଜାଗ ରହିବା ସହ ସେମାନଙ୍କୁ ଉଚିତ ଜବାବ ଦେବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଗୁଜରାଟ କେଓ୍ବାଡିଆ ସ୍ଥିତ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ଏହି ସମାରୋହରେ ଯୋଗଦେଇ ମୋଦୀ କହିଛନ୍ତି, ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ସମଗ୍ର ବିଶ୍ବ ଦେଖୁଛି, ଭାରତ କିଭଳି ବିଭିନ୍ନ ପ୍ରସଙ୍ଗର ସମାଧାନ କରି ଆଗକୁ ବଢୁଛି । କିନ୍ତୁ ଏଭଳି କିଛି ଶକ୍ତି ଦେଶ ଭିତରେ ଓ ବାହାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି । ଗରିବ ଭାରତ ଓ ଦୁର୍ବଳ ଭାରତ ନାଁରେ ଏହି ଶକ୍ତି ଦେଶର ଏକତାକୁ ଜାତି ନାଁରେ ବିଭାଜନ କରିବାକୁ ପ୍ରୟାସ କରୁଛି । ଏଭଳି ଶକ୍ତିକୁ ଆମେ ସହରାଞ୍ଚଳ ନକ୍ସଲ ଭାବେ ଚିହ୍ନଟ କରିଛୁ ଏବଂ ଦେଶବାସୀ ଏମାନଙ୍କ ପ୍ରତି ସଜାଗ ରହିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।