ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଧ୍ବନୀରେ ଉଛ୍ଛଳି ଉଠୁଥିଲା ଶ୍ରୀମନ୍ଦିର । ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା । ନୀତି ନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ନୀତି ହେବା ପରେ ଭୋର ୫ଟାରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ସୁଦର୍ଶନ ଏବଂ ପରେ ବଡଠାକୁର ବଳଭଦ୍ର ରତ୍ନବେଦୀରୁ ସ୍ନାନମଣ୍ଡପକୁ ପହଣ୍ଡି ବିଜେ କରିଥିଲେ । ପରେ ପରେ ଦେବୀ ସୁଭଦ୍ରା ଏବଂ କଳା ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା । 108 ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରାଇଥିଲେ ସେବାୟତ । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଦର୍ଶନ କରି ଭାବ ବିଙ୍ବଳ ହୋଇପଡିଥିଲେ ଭକ୍ତ । ମହାପ୍ରଭୁଙ୍କ ଦିବ୍ୟଦର୍ଶନ ପାଇଁ ପୁରୀ ବଡଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା । ଡାକ୍ତରଖାନା ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ଅପରାହ୍ନରେ ମହାପ୍ରଭୁଙ୍କୁ ହାତୀ ବେଶରେ ଦର୍ଶନ କରିବା ପାଇଁ ଭକ୍ତମାନେ ଅପେକ୍ଷା କରି ରହିଥିଲେ । ଗଜପତି ମହାରାଜ ଛେରାପହଁରା କରିବା ପରେ ବିଳମ୍ବିତ ରାତି ଯାଏଁ ଲକ୍ଷ ଲକ୍ଷ ଭକ୍ତ ବାଇଶ ପାହଚ ଦେଇ ଧାଡିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଜବେଶରେ ଦିବ୍ୟ ଦର୍ଶନ କରିଛନ୍ତି ।
ଆଜିଠାରୁ ମହାପ୍ରଭୁ ଅନବସର ଗୃହକୁ ପହଣ୍ଡି କରିବେ । ପନ୍ଦରଦିନ ଅନବସର ଗୃହରେ ରହିବା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହେବେ ।