ପୁଣି ଭାରତକୁ ଟ୍ରମ୍ପଙ୍କ ଟାରିଫ ଧମକ । ଏକ ସାକ୍ଷାତକାରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଟାରିଫ ବୃଦ୍ଧି କରିବାକୁ ସଂକେତ ଦେଇଛନ୍ତି ଟ୍ରମ୍ପ । ଭାରତ-ରୁଷିଆ ସମ୍ପର୍କ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ମଧ୍ୟ ଟାରିଫ ବଢ଼ାଇବାକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ରମ୍ପଙ୍କ ଦାବି ଉପରେ ଜବାବ ଦିଆଯାଇଥିଲା । ଜାତୀୟ ସ୍ବାର୍ଥ ଓ ଆର୍ଥନୈତିକ ସୁରକ୍ଷାକୁ ଗୁରୁତ୍ବ ଦେଇ ଭାରତ ବାଣିଜ୍ୟ କାରବାର ଜାରି ରଖିବ ବୋଲି ସ୍ପଷ୍ଟ କରିଥିଲା ବୈଦେଶିକ ମନ୍ତ୍ରଣାଳୟ । ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକ ବିରୁଦ୍ଧରେ ଆମେରିକା ଏକ ନବ-ଉପନିବେଶ ନୀତି ଗ୍ରହଣ କରୁଥିବା ଅଭିଯୋଗ ଆଣିଛି ରୁଷିଆ। ଡୋନାଲ୍ଡ ଟ୍ରମ୍ପ ନୂତନ ଶୁଳ୍କ ଘୋଷଣା କରିବା ପରେ ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ତୀବ୍ର ନିନ୍ଦା କରିଥିଲେ । ଏବେ ବିଶ୍ୱ ଆମେରିକାର ଆଧିପତ୍ୟତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ସେ କହିଥିଲେ ।
ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରି ପରୋକ୍ଷରେ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ରୁଷିଆକୁ ଶକ୍ତି ଯୋଗାଉଥିବା କହିଛନ୍ତି ଟ୍ରମ୍ପ। ଭାରତ-ରୁଷିଆରୁ ତୈଳ ଆମଦାନୀ ବନ୍ଦ ନକଲେ ଭାରତ ଉପରେ ଅଧିକ ଟାରିଫ ଲଗାଯିବ ବୋଲି ପୁଣି ଥରେ ଧମକ ଦେଇଛନ୍ତି ଟ୍ରମ୍ପ। ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୭ ତାରିଖରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଯାଉଛି ।ଆମେରିକା ଓ ଭାରତ ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକ ପରେ ଭାରତ ସରକାର ଏହାର ଉପଯୁକ୍ତ ଜବାବ ଦେଇଥିଲେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଟ୍ରମ୍ପ ବାରମ୍ବାର ନୂଆଦିଲ୍ଲୀକୁ ଧମକ ଦେଇ ଚାଲିଛନ୍ତି।














