ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ଯେକୌଣସି ନେତା 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ରହିଲେ ସେମାନଙ୍କ ପଦ ଯିବ। ଏହି ବ୍ୟବସ୍ଥାକୁ ଆଇନରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ନୂତନ ବିଲ୍ ଉପସ୍ଥାପନ କରିବେ। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ଗୁଡ଼ିକୁ ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଦେବେ। ଆଜି ଲୋକସଭାରେ ମୋଟ 3ଟି ବିଲ୍ ପେଶ ହେବ—
1. କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍, 2025
2. 130ତମ ସମ୍ବିଧାନ ସଂଶୋଧନ ବିଲ୍, 2025
3. ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, 2025
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍କୁ ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିବେ। କେନ୍ଦ୍ର ଶାସିତ ଅଞ୍ଚଳ(ସଂଶୋଧନ)ବିଲ୍ ୨୦୨୫ର ଉଦ୍ଦେଶ୍ୟ ସଂପର୍କରେ କୁହାଯାଇଛି, ଗୁରୁତର ଆପରାଧିକ ଅଭିଯୋଗରେ ଗିରଫ ହୋଇଥିବା ତଥା ହାଜତରେ ଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ରହିଥିବା କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରିବା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ର ଧାରା ୪୫ରେ ସଂଶୋଧନ କରିବାର ଆବଶ୍ୟକତା ରହିଛି ।














