ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଜୋରିମାନା ଆଦାୟ ହୋଇଛି। ଏନେଇ ଗୃହରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଆଜି ବିଧାନସଭା ଅଧିବେଶନର ଥିଲା ପଞ୍ଚମ ଦିବସ। ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଓଡିଆରେ ନାମ ଫଳକ ଲେଖିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି କି ନାହିଁ,ଓଡ଼ିଆ ଭାଷାରେ ନାମଫଳକ ନ ଲେଖିଲେ କ’ଣ ସବୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ଓ ଏହି ଆଧାରରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପ୍ରତିଷ୍ଠାନ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରନ୍ତୁ । ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬ ର ଧାରା ୪(୨) ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ କରିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି , ଏ ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଉପରୋକ୍ତ ଆଇନ୍ ଧାରା ୩୮ ଅନୁଯାୟୀ ଏକ ନିର୍ଦ୍ଦେଶପତ୍ର ସଂଖ୍ୟା ୭୪୭ ତା ୦୧.୦୨.୨୦୧୮ ରେ ଜାରି କରାଯାଇଛି। ୨୦୨୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬ ର ଧାରା ୩୫ ଅନୁଯାୟୀ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ପ୍ରଦର୍ଶନ ପ୍ରାବଧାନକୁ ଖିଲାପ କଲେ ସମ୍ପୃକ୍ତ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ପ୍ରଥମ ଥର ଖିଲାପ ନିମନ୍ତେ ୫୦୦୦ଟଙ୍କା ପର୍ଯ୍ୟନ୍ତ ଓ ୨ୟ ବିଧିବଦ୍ଧ ଖିଲାପ ନିମନ୍ତେ ଟ.୨୫,୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବିଧିବଦ୍ଧ ବ୍ୟବସ୍ଥା ରହିଛି । ୨୦୨୩ରୁ ୨୦୨୫ ମଧ୍ୟରେ ୨୫୯୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ୨୫୯୪ ଜଣଙ୍କ ମଧ୍ୟରୁ ୩୧୯ ଦୋକାନୀ ଜୋରିମାନା ଦେଇ ସାରିଛନ୍ତି। ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ଏହି ଆଧାରରେ ବିଭିନ୍ନ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଦ୍ବାରା ବିଭିନ୍ନ ସମୟରେ ନୀରିକ୍ଷଣ କରାଯାଇ ଉଲଙ୍ଘନକାରୀ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ଆଇନ୍ ମୁତାବକ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।














