ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏକ୍ସ ଆସିଷ୍ଟାଣ୍ଟ ବେଦିକା ପ୍ରକାଶ ଶେଟ୍ଟିଙ୍କୁ ଗିରଫ କରାଯାଇଛି । ଆଲିଆଙ୍କ ପ୍ରଡକ୍ସନ ହାଉସ ଏବଂ ପର୍ସନାଲ ଆକାଉଣ୍ଟରୁ ୭୭ ଲକ୍ଷ ଠକେଇ କରିଥିବା ତାଙ୍କ ଉପରେ ଆରୋପ ଲଗାଯାଇଛି । ଜୁହୁ ପୋଲିସ ଏହି ମାମଲାରେ ବେଦିକାଙ୍କୁ ଗିରଫ କରିଛି । ଆଲିଆ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ‘ଏଟରନଲ ସନଶାଇନ ପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ’ ଏବଂ ଆଲିଆଙ୍କ ପର୍ସନଲ ଆକାଉଣ୍ଟରୁ ବେଦିକା ୭୭ ଲକ୍ଷ ଟଙ୍କା ଠକି ନେଇଥିଲେ । କେବଳ ସେତିକି ନୁହେଁ ଆହୁରି ମଧ୍ୟ ଖୁଲାସା ହୋଇପାରେ ବୋଲି ଅନ୍ୟ ଅଧିକାରୀମାନେ କହିଛନ୍ତି ।
ଆଲିଆଙ୍କ ମାଆ ସୋନି ରାଜଦାନଙ୍କ ଅଭିଯୋଗରେ ପୋଲିସ ଏହି ମାମଲା କିଛି ମାସ ପୂର୍ବରୁ ଜାରି କରିଥିଲା । ପାଖାପାଖି ୫ ମାସ ପରେ ତାଙ୍କୁ ବ୍ୟାଙ୍ଗଲୋରରୁ ଗିରଫ କରାଯାଇଛି । ଆଲିଆଙ୍କ ଜାଲ ଦସ୍ତଖତ କରି ବେଦିକା ଦୁଇ ବର୍ଷ ମଧ୍ୟରେ ତାଙ୍କଠାରୁ ୭୭ ଲକ୍ଷ ଟଙ୍କା ଲୁଟିଥିଲେ ।ଆଲିଆଙ୍କ ଏଟରନାଲ ସନଶାଇନ ପ୍ରଡକ୍ସନ ୨୦୨୧ରେ ସ୍ଥାପିତ କରାଯାଇଥିଲା । ଏହି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ଥିଲା ଡାର୍ଲିଙ୍ଗ୍ସ । ଏହି ସମୟରେ ତାଙ୍କ ସହ କାମ କରୁଥିଲେ ବେଦିକା ଶେଟ୍ଟି ।
ବେଦିକା ଶେଟ୍ଟିଙ୍କୁ ଆଲିଆଙ୍କ ପ୍ରଡକ୍ସନ ହାଉସର ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଏବେ କୁହାଯାଉଛି କି ସେ ତାଙ୍କ ପଦର ଦୂରୁପଯୋଗ କରିଥିଲେ । ଏବଂ ଆଲିଆଙ୍କ ପ୍ରଡକ୍ସନ ହାଉସର ବ୍ୟକ୍ତିଗତ ଆକାଉଣ୍ଟରୁ ଟଙ୍କା ଲୁଟିଥିଲେ । କିନ୍ତୁ ବର୍ତ୍ତମାନ ଯାଏଁ ଆଲିଆ କିମ୍ବା ତାଙ୍କ ଟିମଙ୍କ ପକ୍ଷରୁ ଏ ମାମଲାରେ କୌଣସି ବୟାନ ଦିଆଯାଇନାହିଁ । ତେବେ ବେଦିକା ଉର୍ବଶୀ ରାଉଟେଲାଙ୍କ ସହ ମଧ୍ୟ ଠକେଇ କରିଥିବା ଅଭିଯୋଗ କରିଥିଲେ ଉର୍ବଶୀଙ୍କ ମାଆ । ୨୦୧୫ରୁ ୨୦୧୭ ଭିତରେ ସେ ଉର୍ବଶୀଙ୍କର ମଧ୍ୟ ଆସିଷ୍ଟାଣ୍ଟ ଥିବା ବେଳେ ତାଙ୍କର ଡ୍ରେସ ସହ ଅନେକ କିଛି ଜିନିଷ ଘରୁ ଚୋରି ଏବଂ ଠକେଇ କରିଥିଲେ । ତେବେ ବର୍ତ୍ତମାନ ଆରୋପୀଙ୍କୁ ଗିରଫ କରାଯାଇ କୌର୍ଟ ଚାଲାଣ କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।














