ଯେପରି ରାଣୀ ଲକ୍ଷ୍ମୀବାଈ ପୌଷ୍ୟ ସନ୍ତାନଙ୍କୁ ପିଠିରେ ବାନ୍ଧୀ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିଲେ ଠିକ୍ ସେହିପରି ଝାନ୍ସିର ଏକ ଥାନାରେ ଅର୍ଚ୍ଚନା ଜୟନ୍ତ ନାମକ ଜଣେ ମହିଳା କନେଷ୍ଟବଳ ଏକା ସମୟରେ ନିଜ ଛୁଆ ସମ୍ଭାଳୁଥିବା ବେଳେ ଅନ୍ୟପଟେ ସଚୋଟ୍ଟର ସହ ନିଜ କର୍ତ୍ତବ୍ୟ ମଧ୍ୟ ତୁଲାଉଛନ୍ତି. ଥାନାର ଟେବୁଲ ଉପରେ ନିଜ ପିଲାକୁ ସେ ଶୁଆଇଥିବା ବେଳେ ତା ପାଖରେ ବସି ନିଜ କାମ କରୁଥିବା ନଜର ଆସିଛି. ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ଆଉ ଅର୍ଚ୍ଚନାଙ୍କ ଏଭଳି ନିଷ୍ଠାପର କର୍ତ୍ତବ୍ୟକୁ ଦେଖି ତାଙ୍କୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି. ଅର୍ଚ୍ଚନାଙ୍କ ଏହି କର୍ତ୍ତବ୍ୟ ନିଷ୍ଠା ଦେଖି ଉପରିସ୍ଥ ଅଧିକାରୀ ତାଙ୍କ ନାମରେ ପୁରସ୍କାର ରାଶି ଘୋଷଣା କରିଛନ୍ତି. ଅର୍ଚ୍ଚନା ଜୟନ୍ତ ଝାନ୍ସି କୋଟବାଲ ଥାନାରେ ନିଯୁକ୍ତ ହୋଇଛନ୍ତି. ସେ ନିଜର ୬ମାସର ଶିଶୁ କନ୍ୟା ଅନିକାଙ୍କୁ ସାଙ୍ଗରେ ଧରି ଥାନାକୁ ଆସନ୍ତି ଏବଂ ଏକ ଟାୱେଲରେ ଗୁଡାଇ ଟେବୁଲ ଉପରେ ରଖି ନିଜ କର୍ତ୍ତବ୍ୟ କରନ୍ତି. କାରଣ ତାଙ୍କ ଶିଶୁର ଦେଖାଶୁଣା କରିବାକୁ ଘରେ କେହି ନାହାଁନ୍ତି. ଅର୍ଚ୍ଚନାଙ୍କ ସ୍ୱାମୀ ହରିୟାଣାର ଗୁରୁଗ୍ରାମର ଏକ ବଡ କାର ମ୍ୟନୁଫାକ୍ଟର କମ୍ପାନୀରେ କାର୍ଯ୍ୟରତ.