ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ପୁରପଲ୍ଲୀ ଠୁ ସହର | ମାଙ୍କ ଦର୍ଶନ ପାଇଁ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼ | ସେପଟେ ଆସୁଥିବା ଭକ୍ତଙ୍କ ସୁବିଧା ଓ ସୁଯୋଗ ପାଇଁ ପୋଲିସ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ଟ୍ରାଫିକ ନିୟନ୍ତ୍ରଣ କଡା କଡ଼ି କରାଯାଇଛି | ଏଥିସହ ଗାଡି ମଟର ଯିବା ଆସିବାରେ ବି ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି | ରାଜଧାନୀ ଭୁବନେଶ୍ୱର ଓ ଭାଇଚାରାର ସହର କଟକରେ ଜମୁଛି ଅସଂଖ୍ୟ ଭିଡ | ଆଉ ଏଥିପାଇଁ ଭିଡ଼କୁ ନଜରରେ ରଖି ‘ମୋ ବସ୍’ ଚଳାଚଳରେ ପରିବର୍ତ୍ତନ କରାଯାଇଛି । କ୍ରୁଟ୍ ପକ୍ଷରୁ ଅକ୍ଟୋବର ୫ରୁ ୯ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା ପରେ ମୋ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି | କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବର, କଟକ, ଖୋର୍ଦ୍ଧାରେ ଚଳାଚଳ କରୁଥିବା ମୋ ବସ୍ ଗୁଡିକୁ ଏହି ୫ଦିନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଳାଚଳ କରିବ । ମୋ ବସ୍ ସେବା ଅପରାହ୍ନ ୨ଟା ପରଠାରୁ ବନ୍ଦ ରଖାଯିବ ବୋଲି ଶୁକ୍ରବାର କ୍ରୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି | କମିସନରେଟ୍ ପୁଲିସ ପକ୍ଷରୁ ଏହି ୫ଦିନ ବିଭିନ୍ନ ରାସ୍ତାରେ ଅପରାହ୍ଣ ୪ଟା ପରେ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିବାରୁ ଏହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି |